ଯମୁନା ଗ୍ରାମ ଛକରୁ ବିରାଟକାୟ ଅଜଗର ଉଦ୍ଧାର : ୨ ଯୁବ ସାମ୍ବାଦିକଙ୍କ ଉଦ୍ୟମ ପ୍ରସଂଶନୀୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରୁ ହଳଦୀ ରାସ୍ତାର ଯମୁନା ଗ୍ରାମ ଛକରେ ମଙ୍ଗଳବାର ରାତିରେ ଏକ ବିରାଟକାୟ ଅଜଗରକୁ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରୁ ଅଞ୍ଚଳରେ ତୁହାକୁ ତୁହା ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିଲା । ପ୍ରବଳ ବର୍ଷାରେ ରାତି ୮ଟାରେ ଏକ ବିରାଟକାୟ ଅଜଗର ସେହି ରାସ୍ତା ଅତିକ୍ରମ କରୁଥିଲା । ସେହି ସମୟରେ ମୁରିବାହାଲ ଅଞ୍ଚଳର ୨ ଜଣ ଯୁବ ସାମ୍ୱାଦିକ ନବୀନ କୁମାର ତାଣ୍ଡି ଓ ଜୟନ୍ତ କୁମାର ସାହୁ ବାଇକ୍‌ରେ ଯାଉଥିଲେ । ସେମାନେ ହଠାତ୍ ରାସ୍ତା ପାର୍‌ ହେଉଥିବା ଅଜଗରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅଜଗର ରାସ୍ତା ପାର୍‌ ହୋଇ ପାଖରେ ଥିବା ଏକ ରାସ୍ତା ନିର୍ମାଣରେ ବ୍ୟବହୃତ ପଥର ଗଦାରେ ଯାଇ ଅଟକି ରହିଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ୨ ଯୁବ ସାମ୍ବାଦିକ ସେହିଠାରେ ଅଟକି ମୁରିବାହାଲ ଜଙ୍ଗଲ ବିଭାଗର ରେଞ୍ଜର ଓ ଫରେଷ୍ଟରଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ଯମୁନା ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଥିଲେ । ବାରମ୍ବାର ଯୋଗାଯୋଗ କରିବା ପରେ ବହୁ ବିଳମ୍ବରେ ଜଙ୍ଗଲ ବିଭାଗରୁ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟମାନେ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଉଦ୍ଧାର କରି ଦୂର ଜଙ୍ଗଲକୁ ନେଇ ଛାଡିଥିଲେ । ଏହି ବିରାଟକାୟ ଅଜଗରକୁ ସୁରକ୍ଷିତ ଉଦ୍ଧାର କରିବା ତଥା ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ୨ ଯୁବ ସାମ୍ବାଦିକଙ୍କ ଉଦ୍ୟମକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.