ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିହାରରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନରେ ଯାଉଥିବା ଜୈନେକ ବୃଦ୍ଧ ଗତ ନଭେମ୍ବର ୨୬ ତାରିଖରେ ବାଲୁଗାଁ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ନିଖୋଜ ବୃଦ୍ଧ ଜଣକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲା ବୁଧିବନ୍ତ ଗ୍ରାମର କାମେଶ୍ଵର ପାଲ(୬୫) । ପ୍ରାପ୍ତ ସୂଚନାନୁଯାୟୀ, ବାଲୁଗାଁ ଷ୍ଟେସନରେ ଟ୍ରେନଟି ରହିବା ପରେ ବୃଦ୍ଧ ଜଣକ ଓହ୍ଲାଇ ଥିବା ବେଳେ ଟ୍ରେନ ଛାଡ଼ିଦେଇଥିଲା । ଫଳରେ ସେ ଷ୍ଟେସନରେ ରହିଯାଇଥିଲେ । ପରେ ସେ ଜାତୀୟ ରାଜପଥ ଦେଇ ଚାଲିଚାଲି ଗତ ଶୁକ୍ରବାର ଦିନ ପୁରୁଣାବନ୍ଧ ଗ୍ରାମରେ ପହଞ୍ଚିଥିଲେ । ଗ୍ରାମର ଯୁବ ସ୍ୱେଚ୍ଛାସେବୀ ପ୍ରସାଦ କୁମାର ବେହେରା, କେ. ଜଗଦୀଶ ରାଓ, ପି. ଦୀନବନ୍ଧୁ ରାଓ, ରମେଶ ବେହେରା ପ୍ରମୁଖ ତାଙ୍କୁ ପଚରା ଉଚରା କରିବା ସହ ତାଙ୍କର ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ପରେ ପୂର୍ବତନ ସମିତିସଭ୍ୟ ଛାୟାକାନ୍ତ ପ୍ରଧାନ ଓ ଗଞ୍ଜାମ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ । ଥାନା ଅଧିକାରୀ ବୃଦ୍ଧଙ୍କ ଠିକଣାରେ ତଦନ୍ତ କରି ସେଠାକାର ପୋଲିସ ସହଯୋଗରେ ବୃଦ୍ଧଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ । ମଙ୍ଗଳବାର ଗଞ୍ଜାମ ଥାନାରେ ତାଙ୍କ ପରିବାର ବର୍ଗ ପହଞ୍ଚିବା ପରେ ନିରୁଦ୍ଧିଷ୍ଟ ବୃଦ୍ଧଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ବର୍ଗ ସ୍ୱେଚ୍ଛାସେବୀମାନଙ୍କ ଉତ୍ତମ କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ ।
Prev Post
Next Post