ଗାଁ ଭିତରୁ ୬ ଫୁଟିଆ ଅଜଗର ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବନଖଣ୍ଡ ଅଧିନସ୍ଥ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବାବୁଲାଲ ଭୋଇଙ୍କ ଘର ପଛପଟ ବିଲରେ ଲଙ୍କା ଚାଷ କରିଥିବାରୁ କୁକୁଡ଼ା ପଶି ନପାରିବେ ବୋଲି ଜାଲ ବାଡ ଦେଇଥିଲେ । ପ୍ରତିଦିନ ଭଳି ଆଜି ସକାଳୁ ବାବୁଲାଲ ନିଜ ବିଲକୁ ଯିବା ସମୟରେ ହଠାତ୍‌ ତାଙ୍କର ନଜର ପଡ଼ିଥିଲା ଏକ ବିରାଟ ଅଜଗର ଜାଲରେ ଲାଗି ଛଟପଟ ହେଉଥିବାର । ତେବେ ଅଜଗରକୁ ଦେଖି ବାବୁଲାଲ ଭୟଭୀତ ହୋଇ ତୁରନ୍ତ ବନବିଭାଗ ଅଧିକାରୀଙ୍କୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଖବର ପାଇ ବନବିଭାଗ ଅଧିକାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ । ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଅଜଗର ପଶି ଆସିଥିବା ଅନୁମାନ କରାଯାଉଛି । ତେବେ ପଦ୍ମପୁର ଉପବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା ସାପଟିର ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା କରେଇବା ପରେ ତାର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବାରୁ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ କରା ଡୁଙ୍ଗୁରି ଠାରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ଅଜଗର ସାପଟିର ଓଜନ ୮ରୁ ୧୦ କିଲୋ ଭିତରେ ଥିବାବେଳେ ୬ ଫୁଟ୍‌ ଲମ୍ବ ଥିବାର ବନବିଭାଗ ପ୍ରକାଶ କରିଛି ।

Leave A Reply

Your email address will not be published.