
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଏନ୍ଏସି ୱାର୍ଡ ନଂ.୧୨ରେ ଆଇ ଭରସାରେ ୧୦ ବର୍ଷର ଶିଶୁ କନ୍ୟା ଦୟନୀୟ ଅବସ୍ଥାରେ ରହୁଥିଲେ । ଏଇ ଶିଶୁ କନ୍ୟାଙ୍କ ପିତା ୧୦ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ମାଁ ଅନ୍ୟତ୍ର ପଳାୟନ କରିଛନ୍ତି । ଯାହା ଫଳରେ ଶିଶୁଟି ନିରୁପାୟ ହୋଇ ତାଙ୍କର ବୃଦ୍ଧା ଆଇଙ୍କ ପାଖରେ ରହୁଛନ୍ତି । ସୂଚନା ଅନୁସାରେ ଦଶ ବର୍ଷ ତଳେ ଶିଶୁଟିର ବାପା କୌଣସି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ସେହି ସମୟରେ ଶିଶୁଟି ମାଁ ଗର୍ଭରେ ଥିଲା କ୍ଷ ଶିଶୁଟି ଜନ୍ମ ହେବାପରେ ମାଁ କୁଆଡେ ଚାଲି ଯାଇଥିଲେ । ସେଇଦିନ ଠାରୁ ଶିଶୁଟି ଆଇ କୋଳରେ ରହି ଆସୁଛି । ଆଇ ବେଳମତି ଦେଇ ମଧ୍ୟ ଆର୍ଥିକ ସ୍ଥିତି ଭଲ ନଥିବାରୁ ଶିଶୁଟିର ପାଠ ପଢା ଆଗକୁ କେମିତି ହେବ ତାହାକୁ ନେଇ ଚିନ୍ତିତ ଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହାକୁ ଦେଖି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ସମସ୍ତ ତଥ୍ୟ ସଂଗ୍ରହ କରି ନୂଆପଡା ଜିଲ୍ଲାପାଳ ସ୍ୱଧାଦେବୀ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ଖଡ଼ିଆଳ ଏନ୍ଏସି, ଜିଲ୍ଲା ଶିଶୁ ମଙ୍ଗଳ ସମିତିଙ୍କ ଦୃଷ୍ଟି ଆକର୍ଷଣ କରି ଶିଶୁଟିକୁ ଉଦ୍ଧାର କରି ଥଇଥାନ କରିବାକୁ ନିବେଦନ କରିଥିଲେ । ଫଳରେ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଡ଼ିସିପିଓଙ୍କ ନିର୍ଦେଶରେ ଏକ ପ୍ରତିନିଧି ଦଳ ପହଂଚି ଅନୁଧ୍ୟାନ କରିଥିଲେ । ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ତାଙ୍କର ଆଇ ରାଜି ହେଲେ ତାଙ୍କୁ କୌଣସି ଏକ ହଷ୍ଟେଲରେ ରଖିବାର ବ୍ୟବସ୍ଥା କରାଯିବ ବୋଲି ନୂଆପଡା ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।