ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଦନ ଶ୍ରମିକ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏ ଅଂଚଳରୁ ହଜାର ହଜାର ଲୋକ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇଥାନ୍ତି । ଏନେଇ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ଦେଶାନ୍ତର ହେବାକୁ ଲୋକଙ୍କୁ ସଚେତନ କରିଥିବା ବେଳେ ବେଆଇନ ଶ୍ରମିକ ଚଲାଣ ଥମିବା ନା ନେଉନାହିଁ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ତେଲେଙ୍ଗାନା ରାଜ୍ୟକୁ ବେଆଇନ ଶ୍ରମିକ ଚାଳାଣ ବେଳେ ପୃଥକ ପୃଥକ ଦୁଇଟି ସ୍ଥାନରେ ଚଢାଉ କରି ୩ ଜଣ ଶିଶୁ ଏବଂ ଗୋଟିଏ ନାବାଳିକାଙ୍କ ସମେତ ୧୮ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ଲାଠୋର ଥାନା ଅନ୍ତର୍ଗତ ଚଚରାଭଟା, ପାଟଣାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିଝାଲ ଏବଂ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଏହାସହ ଚଚରାଭଟା ଏବଂ ବାଞ୍ଜିଝାଲ ଗ୍ରାମରୁ ବେଆଇନ ଭାବେ ଶ୍ରମିକ ନେଇ ଯାଉଥିବା ଶ୍ରମିକ ସର୍ଦାର ସ୍ଥାନୀୟ ଚଚରାଭଟା ଗ୍ରାମର ମୋତିଲାଲ ମାଝୀ (୩୩) ଏବଂ ମକୁନ୍ଦ ମାଝୀ(୩୮)ଙ୍କୁ ପୋଲିସ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ସେହିପରି ଲୁହାସିଂହା ଅଞ୍ଚଳର ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ଲାଠୋର ଥାନା ଅନ୍ତର୍ଗତ ସଦର ଲାଠୋରର ଜିବର୍ଦ୍ଧନ ନାଏକ (୪୭)ଙ୍କୁ ପୋଲିସ ଗିରଫ କରିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୨୫/୨୦୨୩ ଏବଂ ୨୨୭/୨୦୨୩ରେ ଦୁଇଟି ମାମଲା ଋଜୁ କରି ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ବେଆଇନ ଦାଦନ ଚାଲାଣକୁ ନେଇ ପୋଲିସ ତତ୍ପରତା ଦେଖାଉଥିବା ବେଳେ ଶ୍ରମ ବିଭାଗ ହାତ ବାନ୍ଧି ବସିଥିବା ଗ୍ରାମାଞ୍ଚଳମାନଙ୍କରେ ଚର୍ଚ୍ଚା ହେଉଅଛି ।