ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଝରିଡି ରାଧା ଗୋବିନ୍ଦପୁରଠାରେ ଏକ ପରିତ୍ୟକ୍ତ କୂଅରୁ ଗତ ମଙ୍ଗଳବାର ରାତ୍ରରେ ଜଣେ ବୃଦ୍ଧଙ୍କୁ ଅଗ୍ନିଶମ ବିଭାଗ ଗ୍ରାମବାସୀଙ୍କ ସାହାୟତାରେ ଉଦ୍ଧାର କରିଥିବା ଜଣାପଡିଛି । ବୃଦ୍ଧ ଜଣକ ଧୋବା ନାହାକ (୮୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳେ ଗ୍ରାମ ନିକଟସ୍ଥ ବିଲକୁ ଧୋବା ନାହାକ କାତି ଧରି ଦାନ୍ତକାଠି କାଟିବା ପାଇଁ ଯାଇଥିବା ବେଳେ ଏକ ଅନାବଶ୍ୟକ ଶୁଖିଲା କୂଅରେ ପଡିଯାଇଥିଲେ । ତେବେ କୂଅ ମଧ୍ୟରେ ବାହୁଙ୍ଗୀ ଓ ଗଛ ଡ଼ାଳ ପଡିଥିବା ଯୋଗୁଁ ତାଙ୍କର ବିଶେଷ କ୍ଷତି ହୋଇନଥିଲା । ଦିନ ତମାମ ବୃଦ୍ଧ ଜଣକ କୂଅରେ ପଡିରହିଥିଲେ । ଅନ୍ୟପଟେ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଶେଷରେ ସେ କାତି ନେଇ ଦାନ୍ତକାଠି ପାଇଁ ଯାଇଥିବା ଜାଣିବାକୁ ପାଇବା ପରେ ଗ୍ରାମବାସୀମାନେ ସ୍ଥାନୀୟ ଶସ୍ୟକ୍ଷେତ୍ର ମଧ୍ୟରେ ଖୋଜାଖୋଜି କରିବା ପରେ ତାଙ୍କୁ ସେଠାରେ ଏକ କୂଅ ମଧ୍ୟରେ ପଡିରହିଥିବା ଦେଖିବାକୁ ପାଇଥିଲେ । ପରେ ରମ୍ଭା ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଗ୍ରାମବାସୀଙ୍କ ସାହାୟତାରେ ଦମକଳ ବାହିନୀ ବୃଦ୍ଧଙ୍କୁ ଉଦ୍ଧାର କରି ତାଙ୍କୁ ରମ୍ଭା ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ବୃଦ୍ଧ ଜଣକ ସୁସ୍ଥ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.