ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟରେ ରହିଥିବା ମୁଖ୍ୟ (ମାଇ) ଡ୍ରେନ୍ରେ ଫସି ରହିଥିବା ଏକ ହରିଣକୁ ବନ ବିଭାଗ ଉଦ୍ଧାର କରିଛି । ପ୍ରାପ୍ତ ସୂଚନାନୁଯାୟୀ, ଏକ ତୁଷାର୍ଥ ହରିଣ ସହର ସ୍ଥିତ ଦୁର୍ଗାଦେବୀ ସାହି ନିକଟସ୍ଥ ଶସ୍ୟକ୍ଷେତ୍ରକୁ ଖାଦ୍ୟ ଅନ୍ୱେଷଣରେ ଆସି ନିକଟସ୍ଥ ଜଳାଶ୍ରୟକୁ ଆସୁଥିବା ବେଳେ କୁକୁର ହାବୁଡ଼ରେ ପଡିଥିଲା । ଯାହାକୁ ନେଇ ସେ ବାଟବଣା ହୋଇ ଜନବସତି ଆଡକୁ ଆସିବା ସହ ନିକଟସ୍ଥ ମୁଖ୍ୟ ଡ୍ରେନ୍କୁ ଡେଇଁ ପଡିଥିଲା । ଏନେଇ ଦିଗଦର୍ଶନ ଫାଉଣ୍ଡେସନର ନିର୍ଦ୍ଦେଶକ ଉମାକାନ୍ତ ବେହେରା ବନ ବିଭାଗକୁ ଖବର ଦେବା ସହ ହରିଣଟିକୁ ଉଦ୍ଧାର କରିବା ନେଇ ସହଯୋଗ କରିଥିଲେ । ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ତତ୍ୱାବଧାନରେ ସଞ୍ଜୟ ଦାସ, କୃଷ୍ଣଚନ୍ଦ୍ର ବେହେରା, କେ. ଦିନେଶ ପ୍ରମୁଖ ବନ କର୍ମଚାରୀ ଓ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ ପପୁଲାର ଫାଉଣ୍ଡେସନର କର୍ମକର୍ତ୍ତା, ସ୍ଥାନୀୟ ସାହି ବାସିନ୍ଦାଙ୍କ ସହଯୋଗରେ ଡ୍ରେନ୍ ମଧ୍ୟରୁ ସତର୍କତାର ସହ ହରିଣଟିକୁ ଉଦ୍ଧାର କରିଥିଲେ । ହରିଣଟିକୁ ଚିକିତ୍ସା କରି କିଛିଦିନ ମେଗା ନର୍ସରୀରେ ରଖି ତାର ଯତ୍ନ ନେବା ପରେ ତାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଫରେଷ୍ଟର ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି ।