om academy

ଶିକ୍ଷକ ଦିବସ ସାହୁଙ୍କ ବଦାନ୍ୟତା : ଭିକ୍ଷାବୃତ୍ତି କରୁଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରି ମାତୃନିକେତନରେ କଲେ ଥଇଥାନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ସହର ମାନଙ୍କରେ ଅନେକ ଅସହାୟ ବ୍ୟକ୍ତିମାନେ ଭିକ୍ଷାବୃତ୍ତି କରି ନିଜର ପେଟ ପୋଷିବା ପାଇଁ ବାଧ୍ୟ ହୋଇଥାନ୍ତି । ସେମାନେ ଅନେକ ଲୋକଙ୍କ ନିନ୍ଦା, ଅପବାଦ ସହିଥାନ୍ତି । ଖୁବ କମ୍‌ ଲୋକ ଅଛନ୍ତି ଯେଉଁମାନେ ଏଭଳି ବ୍ୟକ୍ତିଙ୍କ ବେଦନା ଅନୁଭବ କରି ସହାନୁଭୁତି ପ୍ରଦର୍ଶନ କରିଥାନ୍ତି । ସେଭଳି ଏକ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଯୁବ ଶିକ୍ଷକ ଦିବସ କୁମାର ସାହୁ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମର ଜଣେ ଅସହାୟ ମହିଳା ନିଜର ଦୁଇଜଣ ଶିଶୁଙ୍କୁ ସାଙ୍ଗରେ ନେଇ ଭିକ୍ଷାବୃତ୍ତି କରି ଜୀବନ ଯାପନ କରୁଥିଲେ । ଗତବର୍ଷ ଫେବୃୟାରୀ ମାସରେ ଝାରବନ୍ଧ ବ୍ଲକ ସଦର ଗ୍ରାମରେ ଉକ୍ତ ମହିଳା ଜଣକ ନିଜର ଦୁଇ ଶିଶୁଙ୍କୁ ନେଇ ବୁଲୁଥିବା ଦେଖି ଗ୍ରାମର ଜଣେ ଯୁବକ ଟିକୁ ବନଛୋର ଫୋନ ମାଧ୍ୟମରେ ତୁମୁରିପାଣି ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଯୁବ ଶିକ୍ଷକ ଦିବସ କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ । ଦିବସ ଉକ୍ତ ମହିଳାଙ୍କ ବିଷୟରେ ଅବଗତ ହେବା ସହ ଫୋନ ମାଧ୍ୟମରେ ତାଙ୍କ ଦୁଃଖ ଶୁଣିବା ପରେ ତିନିଜଣଙ୍କୁ ଥଇଥାନ କରିବା ପାଇଁ ଯୋଜନା ଆରମ୍ଭ କରି ଦେଇଥିଲେ । ସେ ଝାରବନ୍ଧ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରି କିଭଳି ଏହି ଅସହାୟ ପରିବାରକୁ ସରକାରୀ ସ୍ତରରେ ଥଇଥାନ କରିବା ସହ ଉଭୟ ଶିଶୁଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରିହେବ ତାହା ଆଲୋଚନା କରିଥିଲେ । ଶିଶୁ ମାନଙ୍କ ଆଧାର କାର୍ଡ ନ ଥିବାରୁ ଶ୍ରୀ ସାହୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତାହା କରିବା ବ୍ୟବସ୍ଥା କରିଥିଲେ । ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନ ହୋଇଥିବା ଯୋଗୁଁ ସେ ସବୁ କାମ ରହିଯାଇଥିଲା । ଏପର୍ୟ୍ୟନ୍ତ ଉକ୍ତ ମହିଳା ଏବଂ ଶିଶୁମାନଙ୍କ ରାସନ କାର୍ଡ ମଧ୍ୟ ନାହିଁ, ମହିଳା ଜଣଙ୍କ ଦେହରେ ରୋଗ ଯୋଗୁଁ ଦେହ ହାତ ଫୁଲି ଯାଇଛି । ସୂଚନା ଅନୁଯାୟୀ ତାଙ୍କ ଦେହରେ କିଡନୀ ଜନିତ ରୋଗ ଦେଖାଦେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ତଥା ପିଲାଙ୍କୁ ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି । ଏସବୁ ଦୁଃଖ ଜାଣିବା ପରେ କାହାରି ବି ଆଖିରେ ଅଶ୍ରୁ ଆସିଯିବା ସ୍ୱାଭାବିକ । ଏହିଭଳି ସମୟରେ ଦିବସ ଉକ୍ତ ଅସହାୟ ପରିବାରକୁ ସହାୟତା ଯୋଗାଇଦେବାକୁ ଆଗେଇ ଆସି ଫୋନ ମାଧ୍ୟମରେ ଯୋଗାଯୋଗ କରି ପାଇକମାଲ ଆସିବାକୁ କହିଥିଲେ । ସେ ୧୦୯୮ ଚାଇଲଡ଼ ଲାଇନ ନମ୍ବରକୁ ଯୋଗାଯୋଗ କରିଥିଲେ । ଏହାଛଡ଼ା ସୁଶାନ୍ତ ସାହୁ(ଲୁଲୁ)ଙ୍କ ମାଧ୍ୟମରେ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନର ସଭାପତି ନିର୍ମଳ ଗିରୀଙ୍କୁ ଯୋଗାଯୋଗ କରିବା ପରେ ସେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ଶିଶୁମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିଶୁ କଲ୍ୟାଣ କମିଟିଙ୍କଠାରେ ଉପସ୍ଥାପନ କରିବା ସହ ପିଲାମାନଙ୍କ ସରକାରୀ ସ୍ତରରେ ଭର୍ତ୍ତି କରି ପାଠପଢ଼ା ତଥା ରହିବା ଖାଇବା ବନ୍ଦୋବସ୍ତ କରିଥିଲେ । ଏହାଛଡ଼ା ମହିଳା ଜଣଙ୍କୁ ମଧ୍ୟ ମାତୃଛାୟା ଠାରେ ଥଇଥାନ କରିବା ନିମନ୍ତେ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶିକ୍ଷକ ଦିବସ କୁମାର ସାହୁଙ୍କ ଉକ୍ତ ପ୍ରୟାସ ତଥା ସମସ୍ତଙ୍କ ମିଳିତ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.