jayashree

ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଅଣ୍ଟା ଭିଡ଼ିଲେ ଜୟ ବଜରଙ୍ଗବଳି କମିଟି ଖପ୍ରାଖୋଲ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ର ସରକାର ୨୦୧୪ ମସିହାରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ଆରମ୍ଭ କରିଥିଲେ । ଦେଶର ପ୍ରତି କୋଣ ଅନୁକୋଣରେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ୱଚ୍ଛତା ରଖିବା ସହ ପ୍ରତିଟି ଘରେ ପାଇଖାନା ନିର୍ମାଣ କରିବା ସ୍ୱଚ୍ଛ ଭାରତ ମିଶନର ଲକ୍ଷ୍ୟ ଥିଲା । ବାସ୍ତବରେ କହିବାକୁ ଗଲେ ସ୍ୱଚ୍ଛ ଭାରତ ମିଶନ କିଛିଟା ସଫଳତା ହାସଲ କରିଥିଲେ ହେଁ ସ୍ୱଚ୍ଛ ଭାରତ ମିଶନ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସଦର ଖପ୍ରାଖୋଲରେ ଦେଖିବାକୁ ମିଳୁଛି । ଗ୍ରାମ ଭିତରେ ନା ଅଛି ଡ୍ରେନ୍‌ ସୁବିଧା ନା ରାସ୍ତା ଘାଟ ସଫା । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭିତର ଠୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ସେହି ରାସ୍ତା ଦେଇ ପଞ୍ଚାୟତ ପ୍ରତିନିଧିଠାରୁ ବ୍ଲକ ପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ ଯାତାୟାତ କରୁଥିଲେ ମଧ୍ୟ କାହାର ନଜର ପଡୁନାହିଁ ନଜର ଫେରି ଦେଇ ଏସି ଗାଡ଼ିରେ ବସି ବାବୁ ମାନେ ଯିବା ଆସିବା କରୁଛନ୍ତି । କାଗଜ କଲମରେ ସବୁ କିଛି ଠିକ୍‌ ଅଛି ସେଥିପାଇଁ ପୁରସ୍କୃତ ମଧ୍ୟ ହେଉଛନ୍ତି କିନ୍ତୁ ବାସ୍ତବିକ ଚିତ୍ର ପୁରା ଓଲଟା । ଗାଁ ଲୋକଙ୍କ ସମସ୍ୟାକୁ ଦେଖି ରବିବାର ଜୟ ବଜରଙ୍ଗବଳି କମିଟି ପକ୍ଷରୁ ରାସ୍ତା କଡରେ ଥିବା ଅଳିଆ ଆବର୍ଜନା ସଫା କରାଯାଇଛି । ଦୀର୍ଘଦିନ ହେବ ରାସ୍ତା ପାଖରେ ଅନାବନା ଘାସ ରହିବା ସହ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା । ଯାହାଦ୍ୱାରା ସାଧାରଣ ଲୋକେ ଯାତାୟତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । କମିଟିର ଏଭଳି ନିସ୍ୱାର୍ଥପର କାର୍ଯ୍ୟକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.