ଆଜିର ଯୁବପିଢୀଙ୍କ ପାଇଁ ଉଦାହରଣ ସାଜିଲେ ସପ୍ତମ ଶ୍ରେଣୀର କୁନି ପୁଅ

ବରଗଡ, (ନିରୋଜ କୁମାର ପାଣୀ) : ଆଜିର ସ୍ଵାର୍ଥପର ଦୁନିଆରେ ନିଜ ଜନ୍ମ କଳା ବୃଦ୍ଧ ମା’ ବାପାଙ୍କୁ ବୋଝ ମନେକରୁଛନ୍ତି ନିଜ ସନ୍ତାନ ଏବଂ ଜୀବନର ଶେଷ ମୂହୁର୍ତ୍ତରେ ମଧ୍ୟ ଏକୁଟିଆ ହୋଇ ଦିନ କାଟୁଛନ୍ତି ବୃଦ୍ଧ ମା’ ବାପା । ବରଗଡ ବ୍ଲକ ନାଗେନପାଳି ଗ୍ରାମର ୧୨ ବର୍ଷର କୁନି ପୁଅ ଆଜିର ଯୁବପିଢିଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି । ନିଜ ଶଯ୍ୟାଶାୟୀ ରୋଗିଣା ବାପାଙ୍କ ସେବା ପାଇଁ ନିଜ ପାଠପଢା ଛାଡିଦେଇ ଦିନରାତି ବାପାଙ୍କ ଯତ୍ନ ନେଉଛନ୍ତି । ଏପରିକି ଘରେ ଖାଇବାକୁ ମଧ୍ୟ କିଛି ନଥିବା ବେଳେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା କୁନି ପୁଅ ଲୋକଙ୍କଠାରେ ହାତପାତି ନିଜ ବାପାଙ୍କ ପାଇଁ ଔଷଧ ଓ ଖାଦ୍ୟ ଯୋଗାଡ କରୁଛି । ଦୀର୍ଘ ଚାରି ମାସ ହେଲା ପ୍ରତିଦିନ କୁନି ପିଲାଟି ଏପରି ସଙ୍ଘର୍ଷମୟ ଜୀବନଯାପନ କରିଆସୁଛି । ଏପରି ହୃଦୟ ବିଦାରକ ଘଟଣା ବିଷୟରେ ଖବର ପାଇ ସଂକଲ୍ପ ପରିବାର ଏହି ଗରିବ ପରିବାର ନିକଟକୁ ପହଞ୍ଚି ସାହାଯ୍ୟର ହାତ ବଢାଇଛି । ବରଗଡ ବ୍ଲକ ଅନ୍ତର୍ଗତ ନାଗେନପାଳି ଗ୍ରାମର ଘଟଣା । ନାଗେନପାଳି ଗ୍ରାମର ଉପରପଡାରେ ରହନ୍ତି ୪୭ ବର୍ଷ ବୟସର ବିକାଶ ବିଶ୍ଵାଳ । ପରିବାର କହିଲେ କେବଳ ବିକାଶ ଓ ତାଙ୍କ ଏକ ମାତ୍ର ୧୨ ବର୍ଷର ପୁଅ ସ୍ଵାଗତ ବିଶ୍ଵାଳ । ଅତି ଦୟନୀୟ ଅବସ୍ଥାରେ ଏକ ଛୋଟିଆ ଘରେ ରହୁଛନ୍ତି ଦୁଇ ବାପ ଓ ପୁଅ । ଘରେ ନା ଅଛି ଇଲେକ୍ଟ୍ରି ନା ଘରେ ଅଛି ଖାଇବାକୁ ମୁଠେ । ଏପରିକି ଘରେ ଗୋଟେ ମଧ୍ୟ ବାସନ କୁସନ ନାହିଁ । ଭାଗ୍ୟର ବିଡମ୍ବନା ଯେ ଏହି ପରିବାରକୁ ରୋଗ ଏପରି ଭାବେ ଗ୍ରାସ କରିଛି ଯେ ଘରର ସର୍ବସ୍ଵ ବିକ୍ରି କରିଦେଇ ମଧ୍ୟ ଅବସ୍ଥା ସୁଧୁରି ନାହିଁ ଏବେ ମଧ୍ୟ ଖାଦ୍ୟ ଟିକେ ପାଇଁ ଏବଂ ଚିକିତ୍ସା ପାଇଁ ସଂଘର୍ଷ କରିବାକୁ ପଡୁଛି ଏହି ପରିବାରକୁ । ସମୟ ଥିଲା ବିକାଶ ତାଙ୍କ ସ୍ତ୍ରୀ ଓ ଏକ ମାତ୍ର ପୁଅ ସହିତ ବେଶ ଖୁସିରେଥିଲେ ପୁରା ପରିବାର । ବିକାଶ ଗରିବ ହେଲେ ମଧ୍ୟ ଏକ ଢାବାରେ ରୋଷେୟା କାମ କରି ପରିବାର ପୋଷଣ କରିଆସୁଥିଲେ । ୨୦୧୫ ମସିହାରେ ବିକାଶ ଙ୍କ ସ୍ତ୍ରୀ କେନ୍ସର ରୋଗରେ ଆକ୍ରାନ୍ତ ହେଲେ । ଘରେ ଯାହା କିଛି ଥିଲା ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସବୁ କିଛି ସାରିଦେଲେ, କିନ୍ତୁ ନିଜ ସ୍ତ୍ରୀଙ୍କୁ ବଞ୍ଚାଇ ପାରିନଥିଲେ । ସ୍ତ୍ରୀଙ୍କ ଯିବା ପରେ ଏକ ମାତ୍ର କୁନି ପୁଅ ସ୍ଵାଗତ ବିଶ୍ଵାଳକୁ ପାଠ ପଢାଇବାକୁ ମଧ୍ୟ ଅକ୍ଷମ ହୋଇପଡିଥିଲେ ବାପା ବିକାଶ । ତେବେ ପୁଅର ଭବିଷ୍ୟତ ପାଇଁ ପୁଅକୁ ମାମୁ ଘରକୁ ପଠେଇ ଦେଇଥିଲେ ଓ ସେଠାରେ ପୁଅ ସ୍ଵାଗତ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢି ଆସୁଥିଲେ । ମାତ୍ର ବାପା ବିକାଶଙ୍କ ମଧୁମେହ ରୋଗ କାରଣରୁ ଦୁଇ ଗୋଡରେ ଘାଆ ହୋଇ ତାଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି । ଦୁଇ ଗୋଡର ପାଦ ସଢି ଯାଇଥିବାବେଳେ ବିକାଶ ନିଜ ଖଟରୁ ଓହଲ୍ଲାଇ ପାରୁନାହାନ୍ତି । ଡାକ୍ତର ଉଭୟ ଗୋଡ଼କୁ କାଟିବାକୁ ପଡିବ ବୋଲି ପରାମର୍ଶ ଦେଇଥିବା ବେଳେ ଏପରି ପରିସ୍ଥିତିରେ ବିକାଶଙ୍କ ସାହା ଭରସା ଆଉ କେହି ନାହାନ୍ତି । ବିକାଶଙ୍କ ଅବସ୍ଥା ଅତି ସାଂଘାତିକ ହେବାରୁ ଶେଷରେ ସପ୍ତମ ଶ୍ରେଣୀରେ ପାଠ ପଡୁଥିବା ପୁଅ ସ୍ଵାଗତ ପାଠପଢା ଛାଡି ମାମୁ ଘରୁ ଫେରି ଆସିଲେ ନିଜ ବାପାଙ୍କ ଯତ୍ନ ନେବାପାଇଁ । କେନ୍ସର ରୋଗରେ ନିଜ ମା’କୁ ହରାଇଥିବା ସ୍ଵାଗତ ବର୍ତମାନ ବାପାଙ୍କୁ ହରାଇବାକୁ ଚାହୁ ନାହାନ୍ତି ଏବଂ ବାପାଙ୍କର ଖୁବ ଶ୍ରଦ୍ଧାରେ ଦିନରାତି ଯତ୍ନ ନେଉଛନ୍ତି । ସକାଳୁ ବାପାଙ୍କ ନିତ୍ୟକର୍ମଠାରୁ ଆରମ୍ଭ କରି ରାତ୍ରିରେ ଶୋଇବା ପର୍ଯ୍ୟନ୍ତ ବାପାଙ୍କ ସମସ୍ତ ସେବା ପ୍ରତିଦିନ ଶ୍ରଦ୍ଧାର ସହିତ କରିଥାନ୍ତି ପୁଅ ସ୍ଵାଗତ । ଘରେ ପାଞ୍ଚ ଟଙ୍କା ନଥିବା ସତ୍ୱେ ବାପାଙ୍କ ପାଇଁ ଖାଦ୍ୟ ଏବଂ ଔଷଧ ଯୋଗାଡ କରିବାକୁ ଗାଁ ଲୋକଙ୍କଠାରୁ ପ୍ରତିଦିନ ହାତ ପାତିଥାନ୍ତି । ପୁଅ ସ୍ଵାଗତର ପାଠ ପଢିବାର ଖୁବ ଆଗ୍ରହ ରହିଥିବା ବେଳେ ସେ ବାପା ସୁସ୍ଥ ହେଲା ପରେ ପୁଣି ପାଠ ପଢିବେ ବୋଲି ଆଶା ରଖିଛନ୍ତି । ସପ୍ତମ ଶ୍ରେଣୀର କୁନି ସ୍ଵାଗତ ବିଶ୍ଵାଳ ନିଜ ଶଯ୍ୟାଶାୟୀ ବାପାଙ୍କ ପ୍ରତି ଯେଉଁ ଶ୍ରଦ୍ଧାରେ ସେବା ଓ ଯତ୍ନ ନେଉଛନ୍ତି ତାହା ବର୍ତମାନ ଯୁଗର ଯୁବପିଢୀଙ୍କ ପାଇଁ ନିଆରା ଉଦାହରଣ ସାଜିଛି । ତେବେ ଏହି ଦୁଇ ଗରିବ ବାପ ପୁଅର ଏପରି ଦୁର୍ଦଶା ବିଷୟରେ ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଖବର ପାଇବା ପରେ ନାଗେନପାଳି ସ୍ଥିତ ତାଙ୍କ ଘରକୁ ସଂକଲ୍ପ ପରିବାର ପହଞ୍ଚିଥିଲା ଏବଂ ବିକାଶ ବିଶ୍ଵାଳଙ୍କର ଗୋଡର ଅବସ୍ଥା ଦେଖିବାପରେ ସଂକଳ୍ପ ପରିବାର ସଙ୍ଗେ ସଙ୍ଗେ ଏମ୍ବୁଲେନ୍ସ ଯୋଗେ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ବିକାଶଙ୍କୁ ନେଇ ଉତ୍ତମ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ସଂକଳ୍ପ ପରିବାର ଶଯ୍ୟାଶାୟୀ ବିକାଶଙ୍କର ଚିକିତ୍ସାରେ ସଂପୂର୍ଣ୍ଣ ଭାବେ ସହାୟତା କରିବାକୁ ଆଗେଇ ଆସିଥିବା ବେଳେ କୁନି ପୁଅ ସ୍ଵାଗତର ପାଠପଢାର ଦାୟିତ୍ଵ ମଧ୍ୟ ବହନ କରିଛି । ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ ଯେ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ ସହିତ ସ୍ଵତନ୍ତ୍ର ଚିକିତ୍ସା ପ୍ରଦାନ କରାଯାଉ ।

Leave A Reply

Your email address will not be published.