centurian jitm

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପୂର୍ବ ସରକାରଙ୍କ ଐତିହାସିକ ଭୁଲକୁ ପ୍ରମାଣିତ କରିଛି : ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଓଡ଼ିଶାରେ ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ଓ ଅଧ୍ୟାପକ ନିଯୁକ୍ତିକୁ ନେଇ ଲାଗିଥିବା ରୋକ୍‌କୁ ସୁପ୍ରିମ କୋର୍ଟ ହଟାଇଛନ୍ତି । ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ନେଇ ରୁଜୁ ହୋଇଥିବା ମାମଲାର ଗତକାଲି ଶୁଣାଣିକରି ସୁପ୍ରିମକୋର୍ଟ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟାପକ ନିଯୁକ୍ତି ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ହଟାଇ ଦେଇଛନ୍ତି । ଏହା ସହିତ ବର୍ତ୍ତମାନ ନୂଆ ସଂଶୋଧନ ଆଇନ୍‌ ବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଅନୁସାରେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ଓ ଅଧ୍ୟାପକ ନିଯୁକ୍ତି ହୋଇପାରିବ । ସୁପ୍ରିମକୋର୍ଟଙ୍କର ଏହି ନିଷ୍ପତ୍ତିକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସ୍ୱାଗତ କରିବା ସହିତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କର ନିଷ୍ପତ୍ତି ପୂର୍ବ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ଭୁଲ୍‌ ସାବ୍ୟସ୍ତ କରିବା ସହିତ ଏହା ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ନିୟମାବଳୀକୁ ଉଲଂଘନ କରୁଥିଲା ବୋଲି ସ୍ପଷ୍ଟ ପ୍ରତିପାଦିତ ହୋଇଛି । ବର୍ତ୍ତମାନ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅନ୍ତରୀଣ ରହିତାଦେଶ ହଟିବା ପରେ ବିଶ୍ୱ ବିଦ୍ୟାଳୟମାନଙ୍କରେ କୁଳପତି ଓ ଅଧ୍ୟାପକ ନିଯୁକ୍ତି ପ୍ରକିୟା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଆଧାରରେ କରାଯିବ । ଖାଲି ପଡ଼ି ରହିଥିବା ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବାପାଇଁ ପଦକ୍ଷେପ ନିଆଯିବ । ଏଥିସହିତ ପୂର୍ବ ସରକାରଙ୍କ ଐତିହାସିକ ଭୁଲ୍ ନିଷ୍ପତ୍ତି ପାଇଁ ଉଚ୍ଚଶିକ୍ଷାରେ ନିଯୁକ୍ତି ଦିଗରେ ଆସିଥିବା ସ୍ଥାଣୁତାକୁ ଦୂର କରିବା ପାଇଁ କାର୍ଯ୍ୟ କରାଯିବ । ରାଜ୍ୟରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ । ଏହି ନୂତନ ଅଧିନିୟମକୁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ନିୟମାବଳୀ ସହ ସମନ୍ୱୟ ରକ୍ଷା କରି ଅଣାଯାଇଛି । ବିଧାନସଭାରେ ରାତି ତମାମ୍ ଆଲୋଚନା ହେବାପରେ ବିଧେୟକ ପାରିତ ହେବା ଏବଂ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରି ଏହି ନୂତନ ଅଧିନିୟମ ଆସିବା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ସୂର୍ଯୋଦୟ ହୋଇଛି । ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତାକୁ ସୁନିଶ୍ଚିତ କରିବା, ଶୈକ୍ଷିକ ସଂସ୍କୃତିକୁ ବଜାୟ ରଖିବା ସହ ନିଯୁକ୍ତି ପ୍ରକିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯିବ । ଏଥିସହ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଏକ ମାଇଲ୍‌ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.