ଏସଏଫ୍‌ଆଇ ଜୋନାଲ କ୍ୱାଲିଫାୟର ଟୁର୍ନାମେଣ୍ଟ ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଏସଏଫ୍‌ଆଇ (ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ) ଜୋନାଲ କ୍ୱାଲିଫାୟର ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି । ଏଥିରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ୫ଟି ରାଜ୍ୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ପ୍ରଥମ ଦିବସ ପରି ଦ୍ୱିତୀୟ ଦିବସରେ ମଧ୍ୟ ଓଡ଼ିଶା ସନ୍ତରଣକାରୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାର ଅର୍ପିତା ସାହୁ ୧୦୦ ମିଟର ବଟରଫ୍ଲାଇରେ ସ୍ୱର୍ଣ୍ଣ, ମନ୍ନତା ମିଶ୍ର ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଓ ୨୦୦ ମିଟର ବ୍ୟକ୍ତିଗତ ମିଡ୍‌ଲେରେ ସ୍ୱର୍ଣ୍ଣ, ଅମିୟ ପ୍ରଧାନ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ସ୍ୱର୍ଣ୍ଣ, ସୋନିଆ ପଟେଲ ୫୦ ମିଟର ଫ୍ରିଷ୍ଟାଇଲ, ୫୦ ମିଟର ବଟରଫ୍ଲାଇ ଓ ୧୦୦ ମିଟର ଫ୍ରିଷ୍ଟାଇଲରେ ସ୍ୱର୍ଣ୍ଣ ଏବଂ ପ୍ରତ୍ୟାଶା ରାୟ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି । ସେହିପରି ଜାଡୁ ବୁଡେକ ୧୦୦ ମିଟର ବଟରଫ୍ଲାଇ, ୫୦ ମିଟର ବଟରଫ୍ଲାଇ ଓ ୧୦୦ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ଏବଂ ବିକାଶ ହରିପାଲ ୨୦୦ ମିଟର ଫ୍ରିଷ୍ଟାଇଲ ଓ ୮୦୦ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି । ଛତିଶଗଡ଼ର ଆୟାନ ଅଲୀ ଖା ୧୫୦୦ ମିଟର ଓ ୮୦୦ ମିଟର ଫ୍ରିଷ୍ଟାଇଲ ଏବଂ ଛତିଶଗଡ଼ର ରୁଦ୍ରାକେଶ ସାହୁ ୨୦୦ ମିଟର ଫ୍ରିଷ୍ଟାଇଲ, ୧୦୦ ମିଟର ବଟରଫ୍ଲାଇ, ୨୦୦ ମିଟର ବ୍ୟକ୍ତିଗତ ମିଡ୍‌ଲେ ଓ ୧୦୦ ମିଟର ଫ୍ରିଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ସିନିୟର ସୁଇମିଂ କୋଚ୍‌ ସୁରେନ୍ଦ୍ର ନାଏକ, ସୁଇମିଂ ଆସୋସିଏଶନ ସଭାପତି ପ୍ରଦୀପ କୁମାର ପାଢ଼ୀ, କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, ଉପସଭାପତି ଅମର ରଞ୍ଜନ ମହାନ୍ତି, ରବୀନ୍ଦ୍ର ରାଉତ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.