
ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଘୁନେସ ପଞ୍ଚାୟତ ଖୁଜେନଗାଁର ଧନଞ୍ଜୟ ବାଗ(୨୧) ଚଳିତ ବର୍ଷ ଦାଦନ ଋତୁରେ ଦାଦନ ଦଲାଲଙ୍କ ଠାରୁ ବଇନା ନେଇ ବାପା ଗିରିଧାରୀ ବାଗ ଓ ମାଁ ସୁକୃବାରି ବାଗଙ୍କ ସହିତ ହାଇଦ୍ରାବାଦ ଇଟା ତିଆରି କରିବାକୁ ଯାଇଥିଲେ । କିଛିଦିନ କାମ କରି ସରିଲା ପରେ ମାର୍ଚ୍ଚ ମାସ ହୋଲି ଦିନ ଅର୍ଥାତ ୧୪ ତାରିଖରେ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜାଖୋଜି ପରେ ମଧ୍ୟ ନପାଇ ହାଇଦ୍ରାବାଦର ଗୋରୁଚିଲା ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । କିନ୍ତୁ ସେଠାକାର ଥାନା କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରେ ଗାଁକୁ ଆସି ଗତ୧୪/୦୪-୨୫ରିଖ ଦିନ ତୁରେକେଲା ଥାନାରେ ଦାଦନ ଦଲାଲ ନୂଆପଡା ଜିଲ୍ଲା କମକେଡା ଗାଁର ଭଗବାନ ମହାନନ୍ଦଙ୍କ ନାମରେ ଏତଲା ଦେଇଥିଲେ । ତୁରେକେଲା ପୋଲିସ ସର୍ଦ୍ଦାରକୁ ଡାକି ପଚରା ଉଚରା କରିଛି ଓ ଦାଦନ ଦଲାଲ ୬ମାସ ସମୟ ମାଗିଥିବା ଯାହା ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ଦାଦନ ନିଖୋଜକୁ ଖୋଜିବାର ୬ ମାସ ମହଲତ ଦେବା ବା ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେବା ମଧ୍ୟ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ତୁରେକେଲା ପୋଲିସ ଦାଦନ ଦଲାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ନିଖୋଜ ଯୁବକଙ୍କୁ ଖୋଜିବାରେ ସାହାଯ୍ୟ କରିବାକୁ ପରିବାରବର୍ଗ ଦାବୀ କରିଛନ୍ତି ।
