
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଅଂଶୁମାନ ପ୍ରଡକସନ୍ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ” ତୁମେ ନଥିଲେ ” ଏବେ ବେଶ୍ ଲୋକପ୍ରିୟତା ହାସଲ କରି ମୟୁରଭଞ୍ଜର ଏକମାତ୍ର ସିନେମା ହଲ୍ ରକ୍ସିରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ଆଗେଇ ଚାଲିଛି । ନିଚ୍ଛକ ପାରିବାରିକ ତଥା ପ୍ରେମ ଆବେଗଭରା ମୌଳିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟିର ପ୍ରତ୍ୟେକଟି କଳାକାରଙ୍କର ଅଭିନୟ ଅତି ସାବଲୀଳ ଥିବାବେଳେ ନାୟକ ମଣ୍ଟୁ (ଶୁଭାଶିଷ ଶର୍ମା), ନାୟିକା ଗୁଡ୍ଡି (ସାହିଲ ମିଶ୍ର) ଙ୍କ ଅଭିନୟ ଅତି ନିଖୁଣ ହୋଇଛି । କାହାଣୀ ଓ ସଂଳାପ ଯେମିତି ବଳିଷ୍ଠ, ସଂଗୀତ ସେମିତି ଉଚ୍ଚକୋଟୀର । ନବାଗତ ଗାୟକ କୁମାର ସୁଜିତ, ନବାଗତା ଗୀତିକାର ଡକ୍ଟର ଅସୀମା ସାହୁ , ନବାଗତ ଶିଶୁ କଳାକାର ବିନୁ (ଶ୍ରେୟାଂଶୁ ବେହେରା) ଓ ନବାଗତ ଏଡିଟର ମୁନା ମୋଦୀଙ୍କ ଭୂମିକା ଏହି ଚଳଚ୍ଚିତ୍ରର ଅନ୍ୟତମ ଆକର୍ଷଣ । ଚଳଚିତ୍ର “ବିଶ୍ୱାସ” ର ଫେମ୍ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନବାଗତ ପ୍ରଯୋଜକ ସୁରେନ୍ଦ୍ର ନାଥ ବେହେରା ଥିବାବେଳେ ଚମତ୍କାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ବହୁବର୍ଷ ପରେ ଏଭଳି ଏକ ନିଖୁଣ ପାରିବାରିକ ସଫଳ ଓଡ଼ିଆ ଚଳଚିତ୍ର ଦର୍ଶକଙ୍କ ଭିତରେ ବେଶ ଚର୍ଚ୍ଚାର ବିଷୟ ହୋଇଯାଇଛି ।