jayashree

ଖପ୍ରାଖୋଲ ବ୍ଲକରେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୬୪.୨୬ ପ୍ରତିଶତ ହେଲା ମତଦାନ, ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଭୋଟ ଦାନ ପାଇଁ ଭୋଟରଙ୍କ ପ୍ରବଳ ଉତ୍ସାହ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଓଡିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ଶେଷ ହୋଇଛି । ବ୍ଲକର ୨୧ଟି ପଞ୍ଚାୟତରେ ଖପ୍ରାଖୋଲ ବ୍ଲକରେ ମୋଟ ୨୫୧ଟି ବୁଥ୍‌ରେ ୭୯,୫୪୦ ମତଦାତା ଭୋଟ ଦାନ କରିବାକୁ ଥିବାବେଳେ ସମୁଦାୟ ୫୧,୧୧୪ ଭୋଟଦାନ କରିଛନ୍ତି । ତନ୍ମଧ୍ୟରୁ ପୁରୁଷ ମତଦାତା ୨୪,୩୫୯ ଏବଂ ମହିଳା ମତଦାତା ୨୬,୭୫୫ ରହିଛନ୍ତି । ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖପ୍ରାଖୋଲ ବ୍ଲକରେ ପୁରୁଷଙ୍କ ଅପେକ୍ଷା ମହିଳା ମତଦାତାଙ୍କ ସଂଖ୍ୟା ବେଶୀ ହୋଇଥିବା ଦେଖିବାକୁ ମିଳିଛି । ୨୫୧ଟି ବୁଥ୍‌ ମଧ୍ୟରୁ ୯୦ଟି ଅତି ସମ୍ବେଦନଶୀଳ ବୁଥ୍‌ ଏବଂ ୫୪ଟି ସମ୍ବେଦନଶୀଳ ବୁଥ ଚି଼ହ୍ନଟ ହୋଇଥିବା ବେଳେ ୧୫ଟି ମାଓ ପ୍ରଭାବିତ ବୁଥ୍‌ ରହିଥିବାରୁ ସକାଳ ଭୋରରୁ ପୁଲିଙ୍ଗ ପାର୍ଟି ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟଦାନ ପ୍ରକ୍ରିୟା ଆରମ୍ଭ କରିଥିଲେ । ତା ସଙ୍ଗେ ସଙ୍ଗେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଅନେକ ଅଞ୍ଚଳ ମାଓ ପ୍ରଭାବିତ ହୋଇଥିଲେ ମଧ୍ୟ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ କେବଳ ରେଙ୍ଗାଲି ପଞ୍ଚାୟତର ଆମବାହାଳୀ ଗ୍ରାମରେ ଭୋଟ ଦାନ କେନ୍ଦ୍ର ହୋଇ ନଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିବୁ ବୋଲି କହିଥିଲେ । ପ୍ରାୟ ଦିନ ଦଶଟାରେ ସେକ୍ଟର ଅଫିସର ସୂର୍ଯ୍ୟଭାନୁ ମେହେର, ଲାଠୋର ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ଆମବାହାଳୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ସରକାରୀ ବସ ଯୋଗେ ରେଙ୍ଗାଲି ମତଦାନ କେନ୍ଦ୍ରକୁ ଆଣିଥିଲେ । ଯାହାଫଳରେ ଆମବାହାଳୀ ବୁଥ୍‌ରେ ପ୍ରାୟ ସାଢେ ତିନିଟା ଯାଏଁ ମତଦାନ ଚାଲିଥିଲା । ସରକାରୀ ସୂଚନା ଅନୁସାରେ ବ୍ଲକରେ ମୋଟ ୬୪.୨୬ ପ୍ରତିଶତ ମତଦାନ ହୋଇଥିବା ନେଇ ବ୍ଲକ ନିର୍ବାଚନ ଅଧିକାରୀ ତଥା ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ରାଉତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.