jayashree

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନିୟୋଜିତ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ଭୋଟ ଗଣନା କାର୍ଯ୍ୟରେ ନିୟୋଜିତ କାଉଣ୍ଟିଙ୍ଗ୍‌ ସୁପରଭାଇଜର ଓ କାଉଣ୍ଟିଙ୍ଗ୍‌ ଆସିଷ୍ଟାଣ୍ଟ ମାନଙ୍କୁ ବ୍ଲକ ସ୍ତରରେ ତାଲିମ ପ୍ରଦାନ ସକାଶେ ମାଷ୍ଟର ଟ୍ରେନର ମାନଙ୍କ ଏକ ତାଲିମ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡିଆର୍‌ଡ଼ିଏ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନିତୀନ୍‌ କୁଶଲ୍‌କର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପିଡ଼ିଡ଼ିଆର୍‌ଡ଼ିଏ ସୁଶାନ୍ତ କୁମାର ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ପଟେଲ, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ପାଟଣାଗଡ଼ ଉପଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀଙ୍କ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ଉପଖଣ୍ଡ ପୋଲିସ ଅଧିକାରୀ, ସମସ୍ତ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଓ ନିର୍ବାଚନ ସହ ସଂପୃକ୍ତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ନିର୍ବାଚନ ଅଧକାରୀ, ସେକ୍ଟର ଅଧିକାରୀ, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ନିର୍ବାଚନ ସହ ସଂପୃକ୍ତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ସେମାନେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବଲାଙ୍ଗିର ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ପୋଲିସ ଓ ମାଜିଷ୍ଟ୍ରେଟ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡ଼ିଏ ଡ.ଗୁଣନିଧି ନାଏକ ମାଷ୍ଟର ଟ୍ରେନର ଓ ନିର୍ବାଚନ ସହ ସଂପୃକ୍ତ ଅନ୍ୟ ଅଧିକାରୀ ମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା, ଭୋଟଗଣତି, ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀ ନିର୍ବାଚନ ପରିଚାଳନାରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ସେକ୍ଟର ଅଫିସର, କାଉଣ୍ଟିଙ୍ଗ ସୁପର୍‌ଭାଇଜର, କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ଭୋଟ ଗ୍ରହଣ କେନ୍ଦ୍ର ପ୍ରସ୍ତୁତି, ଭୋଟ ଗଣତି କେନ୍ଦ୍ର ପ୍ରସ୍ତୁତି, ପୋଲିଂ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଭୋଟ କେନ୍ଦ୍ରକୁ ପଠାଇବା ସକାଶେ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା, ଭୋଟ ଗ୍ରହଣ ଦିନ ନିର୍ବାଚନ ପରିଚାଳନା, ସେକ୍ଟର ଅଫିସରଙ୍କ ଦାୟିତ୍ୱ ତଥା ନିର୍ବାଚନ ସଂକ୍ରାନ୍ତୀୟ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ବଲାଙ୍ଗିର ଜିଲ୍ଲାରେ ମତଦାନ ଫେବୃୟାରୀ ୧୬,୧୮,୨୦,୨୨ ଓ ୨୪ ତାରିଖରେ ବିଭିନ୍ନ ୫ଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀ ପ୍ରାରମ୍ଭିକ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.