ଭୁବନେଶ୍ୱର, (କେପିଏନ୍ଏସ୍) : ଚଳିତ ବର୍ଷ ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି । ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ର ସରକାର ହର୍ ଘର ତ୍ରିରଙ୍ଗା ଆହ୍ୱାନ ଦେଇଥିଲେ ହେଁ ପ୍ରତି ଘରେ ଯେପରି ତ୍ରିରଙ୍ଗା ଉଡିବ ସେ ନେଇ ରାଜ୍ୟ ସରକାର ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମିସନ ଶକ୍ତିର ମା’ ମାନଙ୍କୁ ଜାତୀୟ ପତାକା ତିଆରି ଓ ବଣ୍ଟନ ଦାୟିତ୍ୱ ଦିଆଯାଇଛି । ସେମାନେ ଘର ଘର ବୁଲି ଜାତୀୟ ପତାକା ବାଣ୍ଟିବେ । ମିସନ ଶକ୍ତିର ମା’ମାନେ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି ।