centurian jitm

ତ୍ରିବେଣୀ ପତ୍ରିକାର ଶୁଭ ଉନ୍ମୋଚନ

nschool

ସମ୍ବଲପୁର, (କେପିଏନ୍‌ଏସ୍‌) : ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଦଶମୀ ଯାତ୍ରା ଶୁଭ ଅବସରରେ ସମ୍ବଲପୁରରେ ଅବସ୍ଥାପିତ କବିତା ଝଙ୍କାର ସାହିତ୍ୟ ସଂସଦର ଇ-ପତ୍ରିକା ‘ତ୍ରିବେଣୀ’ ଶୁଭ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟ ମଣିଷକୁ ସଂସ୍କୃତି ସଂପନ୍ନ କରେ । କବିତା ମଣିଷ ମନ ଓ ହୃଦୟର ଭାଷାକୁ ପ୍ରତିଫଳିତ କରିଥାଏ । କବିତା ଲେଖିବା ଯେତିକି ଉତ୍ସାହ ଜନକ ତା’ ଠାରୁ ସେତିକି ଗୁରୁତ୍ୱ ବହନ କରେ ଯେତେବେଳେ ସେ କବିତାର ଶବ୍ଦ ସମ୍ଭାର ମଣିଷର ମନ, ହୃଦୟ ଓ ଜୀବନର ଗତିକୁ ପ୍ରବାହମାନ କରିବାରେ ସକ୍ଷମ ରଖେ ବୋଲି ‘ତ୍ରିବେଣୀ’ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀରାମ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡା.ରାମେଶ୍ୱର ନାଏକ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ବଲାଙ୍ଗିର ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଓ ଚିତ୍ରକର ଆନନ୍ଦ ଚନ୍ଦ୍ର ସ।।ହୁ ଏବଂ ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାର ତେଜସ୍ୱିନୀ ପତ୍ରିକାର ସଂପାଦିକା ଲିଲି ପଟେଲ ଓ ପୁରୀ ଦିବ୍ୟଦର୍ଶନର ସଂପାଦିକା ପ୍ରବାସିନୀ ମିଶ୍ର ଯୋଗଦାନ କରିଥିଲେ । କବିତା ଝଙ୍କାରର ସଭାପତି କୃଷ୍ଣ ଚନ୍ଦ୍ର ବାରିକ ଅନୁଷ୍ଠିତ ହୋଇଥିବା ସଭା କାର୍ଯ୍ୟରେ ଅଧ୍ୟକ୍ଷତା କରିଥିଲେ । ପ୍ରତିଷ୍ଠାତା ସଂପାଦକ ଶିବାତ୍ମକ ପଣ୍ଡା, ମୁଖ୍ୟ ଉପଦେଷ୍ଟା ରବିଚନ୍ଦ୍ର ପଶାୟତ, ରାଜ୍ୟ କମିଟି ସଦସ୍ୟ ରାମ ନାରାୟଣ ଦାଶ, ସହ-ସଂପାଦକ ବିଶ୍ୱଜିତ ଦାଶ, ସ୍ରୋତସ୍ୱିନୀ ସଂପାଦକ ଚୁନିଲ କୁମାର ଗଙ୍ଗଦେବ କବିତା ଝଙ୍କାରର ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ ବିଷୟରେ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ମନ୍ଦାକିନୀର ସଂପାଦକ ଭକ୍ତବନ୍ଧୁ ମେହେର ବିବରଣୀ ପାଠ କରିଥିଲେ । ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲ । ସୁମିତ୍ରା ସାହୁ, ସବିତା ନାୟକ, ସୌଦାମିନୀ ତ୍ରିପାଠୀ, ନମିତା ପାତ୍ର, ଜାନକୀ ମହନ୍ତ, ସବିତା ନାୟକ, ଲକ୍ଷ୍ମୀପ୍ରିୟା ଦାଶ, ସ୍ନେହା ମିଶ୍ର, ଶୁଭେନ୍ଦୁ ମହେର, ଶ୍ରୀକାନ୍ତ ପଣ୍ଡା, ସିଦ୍ଧାର୍ଥ ପ୍ରଧାନ, ଅରୁଣ ମେହେର, ଚୁଡାମଣି ମାଝି, ହେମନ୍ତ କୁମାର ସାହୁ, ରମାକାନ୍ତ ମହାଲିଙ୍ଗ, ଦେବେନ୍ଦ୍ର ନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବିତା ପାଠୋତ୍ସବକୁ ପୁଷ୍ପଲତା ମିଶ୍ର ଓ ଘନଶ୍ୟାମ ରାଉତ ସଂଚାଳନ କରିଥିଲେ । କଲ୍ଲୋଳିନୀ ସଂପାଦିକା ପ୍ରିୟଙ୍କା ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଫାରୁକ ସାର,ଐଶ୍ୱର୍ଯ୍ୟା, ପ୍ରମୋଦିନୀ ଦେଇ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ଆବାହକ ଅଭିନବ ପଟ୍ଟନାୟକ ସଂଚାଳନ କରିଥିଲେ । ପରିଶେଷରେ ସୁବ୍ରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!