କୋରେଇ ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

  • ୨ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୫ ଲକ୍ଷ ସହାୟତା ଘୋଷଣା କଲା ରେଲୱେ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଯାଜପୁର ଜିଲ୍ଲା କୋରେଇ ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ନବୀନ ପଟ୍ଟନାୟକ । ସେହିପରି ରେଲୱେ ପକ୍ଷରୁ ଅନୁକମ୍ପା ରାଶି ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ଏତଦ୍ ବ୍ୟତୀତ ଗୁରୁତର ଆହତଙ୍କୁ ୧ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ । ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ଲୋକଙ୍କ ପ୍ରାଣହାନୀ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ପ୍ରକାଶ ଥାଉକି, ସୋମବାର ସକାଳ ପ୍ରାୟ ୬ଟା ୪୦ ସମୟରେ ବୈତରଣୀ ରୋଡ ପଟୁ ଯାଜପୁର ରୋଡ ଆଡ଼କୁ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନ୍ ହଠାତ ଲାଇନ ଚ୍ୟୁତ ହୋଇ ପ୍ଳାଟଫର୍ମର ଟିକେଟ କାଉଣ୍ଟର ଉପରକୁ ଚଢ଼ି ଯାଇଥିଲା । ପ୍ରାୟ ୨୦ଟି ବଗି ପ୍ଲାଟଫର୍ମ ଉପରକୁ ଚାଲି ଆସିଥିଲା । ଏହି ସମୟରେ ଟ୍ରେନକୁ ଅପେକ୍ଷା କରି ଛିଡ଼ା ହୋଇଥିବା କିଛି ଯାତ୍ରୀଙ୍କ ଉପରେ ଟ୍ରେନଟି ଚଢ଼ି ଯାଇଥିଲା । ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀ ଲୋକଙ୍କୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.