ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ଚୟନୀତ ୧୪୦ ଜଣ ତୀର୍ଥଯାତ୍ରୀ ରାମେଶ୍ଵରମ-ମଦୁରାଇ ଅଭିମୁଖେ ଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ବିଜୟନନ୍ଦ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ଓ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ମୁଖ୍ୟଅତିଥି ସମସ୍ତ ବରିଷ୍ଠ ନାଗରିକ ତଥା ତୀର୍ଥଯାତ୍ରୀ ମାନଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ଯାତ୍ରାର ଶୁଭକାମନା ଜଣାଇବା ସହ ସବୁଜ ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିଥିଲେ । ଯାତ୍ରା ପୂର୍ବରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ତୀର୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ନିୟମାନୁସାରେ କରାଯାଇଥିଲା । ଉକ୍ତ ବସ ଗୁଡିକ ସମ୍ବଲପୁର ରେଳ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି, ତୀର୍ଥ ଯାତ୍ରୀ ମାନେ ଆଜି ସମ୍ବଲପୁରରେ ରାତ୍ରୀ ଯାପନ କରି ଆସନ୍ତାକାଲି ସ୍ଵତନ୍ତ୍ର ଟ୍ରେନ୍ରେ ରାମେଶ୍ଵରମ-ମଦୁରାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଏହି ତୀର୍ଥଯାତ୍ରାରେ ଏସ୍କର୍ଟ ଅଫିସର ଭାବେ ନୀଳାଚଳ ଦୀପ, ଚିନ୍ତାମଣି ଥନାପତି, ଚିତ୍ତରଞ୍ଜନ ସାହୁ, ଏବଂ ତରୁଣକାନ୍ତି ପଧାନ ତୀର୍ଥ ଯାତ୍ରା କାର୍ଯ୍ୟ ସମ୍ପାଦନ ନିମନ୍ତେ ନିଯୁକ୍ତ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।