ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନା ସାତ ସପନ, ଟିକ୍ରାପଡ଼ା ଅଞ୍ଚଳରେ ଆବାସ ଯୋଜନା ଅର୍ଥରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ଧନୀ ଲୁଟୁଛନ୍ତି ଗରିବଙ୍କ ହକ୍ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ କୋଟି କୋଟି ଖର୍ଚ୍ଚ କରୁଥିବା ବାହା ବାହା ନେଉଛନ୍ତି । ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏବେବି ଲୋକେ ଭଙ୍ଗା କୁଡ଼ିଆରେ ଦିନ ବିତାଉ ଥିବାର ଦୃଶ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଦେଖିବାକୁ ମିଳିଛି । ଧନୀମାନେ ଲୁଟି ନେଉଛନ୍ତି ଗରିବ ଲୋକମାନଙ୍କ ହକ୍ । କଳେ ବଳେ କୌଶଳେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସବୁ ହାତେଇ ନେଇ ଅଏସଖ ଆରାମ କରୁଛନ୍ତି । ଫଳରେ ଗରିବ ନିରୀହ ଲୋକେ ଦୟନୀୟ ଅବସ୍ଥାରେ ଭାଙ୍ଗି ପଡୁଛନ୍ତି । ତେବେ ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ପଞ୍ଚାୟତରୁ ଆସିଛି ସାଙ୍ଘାତିକ ଚିତ୍ର । ପ୍ରତିପତ୍ତିଶାଳୀ ପରିବାର ଲୋକେ ଆବାସ ଯୋଜନାରେ ଅର୍ଥରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ,ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ପଞ୍ଚାୟତର ବନମାଳୀ ନାଏକ ଓ ପିତାମ୍ବର ନାଏକ ଦୁଇଭାଇ ଧନୀ ଶ୍ରେଣୀର ଲୋକ ଅଟନ୍ତି । ଉଭୟେ ସ୍ୱଚ୍ଛଳ ବର୍ଗର ହୋଇଥିଲେ ମଧ୍ୟ ଧରା କରା କରି ପ୍ରଧାନମନ୍ତ୍ରୀ ଯୋଜନାରେ ସାମିଲ ହୋଇଛନ୍ତି । କେବଳ ସେତିକି ନୁହେଁ ନିଜର ରହିବା ପାଇଁ ଭଲ ଘର ଥିବାରୁ ଆବାସ ଯୋଜନା ଟଙ୍କାକୁ ବ୍ୟବସାୟୀ ଉଦ୍ଦେଶ୍ୟରେ ବିନିଯୋଗ କରୁଛନ୍ତି । ଏହି ଟଙ୍କାରେ ଦୁଇ ଭାଇ ଟିକ୍ରାପଡ଼ା ସ୍ଥିତ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ଛକ ନିକଟରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଆଉ କିଛି ଧନୀ ଲୋକ ମଧ୍ୟ ଆବାସ ଯୋଜନାରେ ହାତେଇ ଦୋକାନ ଘର ନିର୍ମାଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ କୁଡ଼ିଆ ଘରେ ରହୁଥିବା ଏହି ପଞ୍ଚାୟତ ମେରାବାହାଲ ଗାଁର ଯାମା ରଣା, ବୈଦେହୀ ରଣାଙ୍କ ଭଳି ଗରିବ ପରିବାର ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ତେବେ ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.