jayashree

ଠେଙ୍ଗାପାଲିର ଗାଁ କଣ୍ଟାପାଲି

ଆଗଲପୁର, (କେପିଏନ୍‌ଏସ୍‌) : ଠେଙ୍ଗାପାଲିର ଗାଁ କଣ୍ଟାପାଲି, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତରେ ରହିଛି ଏହି ଗାଁ । ଶହେରୁ ଅଧିକ ପରିବାର, ୬୦୦ ପାଖାପାଖି ଲୋକ ସଂଖ୍ୟା ଏହି ଗାଁର । ତିନି ଚାରି ଜଣ ଚାକିରିଆଙ୍କୁ ଛାଡି ଦେଲେ ବାକି ସମସ୍ତେ ଚାଷୀ ମୂଲିଆ ଶ୍ରେଣୀର । ଠେଙ୍ଗାପାଲି ଗାଁର ବିଶେଷ ଆକର୍ଷଣୀୟ ଏକ ଦିଗ ହେଲା ଗାଁର ଦୁଇଟି ପରିବାରରୁ ଦୁଇଜଣ ଦିନେ ଲେଖାଏଁ ଜଙ୍ଗଲ ଜଗୁଆଳି ଭାବରେ ଜଙ୍ଗଲକୁ ଯିବେ ସନ୍ଧ୍ୟାରେ । ଯାହା ଘରକୁ ଠେଙ୍ଗା ଆଉ ଟର୍ଚ୍ଚ ଯାଏ ସକାଳେ ସେ ଯିବ ଜଙ୍ଗଲକୁ ଜଗୁଆଳି ଭାବରେ । ଦିନ ଯାକର ଜଙ୍ଗଲ ସୁରକ୍ଷା କରିବାର ଦାୟିତ୍ୱ ତାର, ଖରା, ବର୍ଷା, ଶୀତ ଯାହା ହେଉନା କାହିଁକି ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲେଇବାକୁ ପଡେ । ଏଇଟା ଆଜି କାଲିର ନୁଁହ, ଅଜା ପଣଅଜା ଅମଳରୁ ଚାଲି ଆସୁଛି । ଗାଁର ପରମ୍ପରା କହିଲେ ଚଳେ, ଯେଉଁ ଦିନ ଯାହାର ପାଳି ଥାଏ ପଖାଳ ଗଣ୍ଡେ ଖାଇ ସକାଳୁ ସକାଳୁ ବାହାରି ଯାଆନ୍ତି ଜଙ୍ଗଲ ଅଭିମୁଖେ । ଜଙ୍ଗଲ ଆରମ୍ଭ ହେବା ମାତ୍ରେ କାହିଁ କେଉଁ ଆବାହନ କାଳରୁ ମହୁଲ ଗଛ ମୂଳେ ବସି ରହିଛନ୍ତି ଗାଁର ଇଷ୍ଟ ଦେବତା ବରପାହାଡ଼ ବୁଢା ଆଉ ଇଷ୍ଟଦେବୀ ମା’ ଦଶମତି । ଜୁହାର ଟିଏ ହୋଇ ଜଙ୍ଗଲ ଭିତରକୁ ପ୍ରବେଶ କରନ୍ତି । ବାରଶହ ହେକ୍ଟର ପରିମିତ ବିରାଟ ଘଞ୍ଚ ଜଙ୍ଗଲ ଶାଳ, ପିଆଶାଳ, ମହୁଲ, ଚାର, କେନ୍ଦୁ, ଧଉରା ହରେକ କିସମର ଗଛଲତା ଗୁଳ୍ମରେ ଭରପୁର । ହାତୀ, ଭାଲୁ, ବାରହା, ହରିଣ, କୁଟୁରା, ଠେକୁଆ, ହେଟାବାଘ, ମୟୁର, ଅଜଗର ଇତ୍ୟାଦି ଜୀବଜନ୍ତୁ ସରୀସୃପମାନଙ୍କର ଚଳପ୍ରଚଳ ସବୁବେଳେ ଲାଗି ରହିଥାଏ । ସମୟେ ସମୟେ ଜଙ୍ଗଲି ଜନ୍ତୁମାନଙ୍କର ଆକ୍ରମଣର ଶିକାର ହେବାର ଅନେକ ନଜିର ରହିଛି । ହାତୀ ଆକ୍ରମଣରେ ଜଣଙ୍କର ଜୀବନ ମଧ୍ୟ ସାତ ଆଠ ବର୍ଷ ହେଲାଣି ଚାଲି ଯାଇଛି । ପୁଣି ମଝିରେ ମଝିରେ କାଠ ମାଫିଆମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡିଥାଏ । ଥରେ ତ କାଠ ମାଫିଆମାନଙ୍କ ପାଲଟା ଅଭିଯୋଗରେ ଗାଁର କିଛି ଲୋକ ବର୍ଷାଧିକ କାଳ ଜେଲଦଣ୍ଡ ମଧ୍ୟ ଭୋଗିଛନ୍ତି । ତଥାପି ଲୋକଙ୍କ ଜଙ୍ଗଲ ସୁରକ୍ଷାର ନିଶା ଉତୁରି ନାହିଁ କି କମି ନାହିଁ । କାହିଁକି ନା ପ୍ରାୟ ଲୋକଙ୍କ ପେଟ ପାଟଣା ଜୀବିକା ଏହି ଜଙ୍ଗଲ ଉପରେ ହିଁ ନିର୍ଭର କରେ । ଶାଳ ପତ୍ରରେ ଖଲିଦନା, ମହୁ, ଝୁଣା, ଚାର, ମହୁଲ, ଛତୁ, ଝାଡୁ, କେନ୍ଦୁପତ୍ର ସଂଗ୍ରହ କରି ପରିବାର ଚଳାଇଥା’ନ୍ତି । ଆଉ ଗୋଟିଏ ଖୁସିର କଥା, ବେଳେ ବେଳେ ସୁଦୂର ଆମେରିକା, ଜର୍ମାନ, ସୁଇଜର୍‌ଲାଣ୍ଡ, ଆଫ୍ରିକା ବିଭିନ୍ନ ଦେଶର ପ୍ରକୃତି ପ୍ରେମୀମାନେ ଆସିଥାନ୍ତି ଜଙ୍ଗଲ ଭିଜିଟ୍‌ରେ । ପୁରା ଜଙ୍ଗଲ ବୁଲନ୍ତି ଫୋଟୋ ଉଠାନ୍ତି ଡକ୍ୟୁମେଣ୍ଟାରୀ ଫିଲ୍ମ ବନାଇଥାନ୍ତି । ଗାଁର ଏକତା ଓ ଜଙ୍ଗଲ ପ୍ରତି ଭଲ ପାଇବା ଦେଖି ଭୁରି ଭୁରି ପ୍ରଂଶସା କରି ଯାଆନ୍ତି । ଏହି ମହତ କାମ ପାଇଁ ଓଡିଶା ସରକାରଙ୍କ ‘ପ୍ରକୃତି ମିତ୍ର’ ପୁରସ୍କାର ସାଙ୍ଗକୁ ବହୁ ପୁରସ୍କାର ମିଳିଛି । ଏସବୁ କାର୍ଯ୍ୟ ଦେଖି ସମସ୍ତଙ୍କ ମୁଁହରୁ ବାହାରି ଆସେ ‘ଠେଙ୍ଗାପାଲିର ଗାଁ କଣ୍ଟାପାଲି’ ।

Leave A Reply

Your email address will not be published.