ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ମୁଖ୍ୟ ରାସ୍ତା ପାଟଣା ଛକ ନିକଟରେ ଗତ ବିଳମ୍ବିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ରାଧିକା ଅଳଙ୍କାର ଦୋକାନ ସମ୍ମୁଖରେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ଉପରକୁ ମାଡିଯାଇଥିଲା । ଗୁରୁତର ଅବସ୍ଥାରେ ସିକ୍ୟୁରିଟି ଗାର୍ଡ ସିଦ୍ଧାର୍ଥ ପଧାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶବ ବ୍ୟବଚ୍ଛେଦ ପରେ ଆନ୍ଦୋଳନକାରୀ ମୃତଦେହକୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ କଚେରୀ ଛକକୁ ଆଣି ରାସ୍ତାରୋକୋ କରିଛନ୍ତି । ରାସ୍ତାରୋକୋ ସମୟରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ସହ ଆନ୍ଦୋଳନକାରୀ ଠେଲାପେଲା ହେଉଥିବା ଭଳି ଅବସ୍ଥା ଦେଖିବାକୁ ମିଳିଛି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ରାସ୍ତାରୋକ ଫଳରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛି । ବଲାଙ୍ଗିର ଟାଉନ ପୋଲିସ ଉକ୍ତ ଟ୍ରକକୁ ଜବତ କରିବା ସହ ମାତାଲ ଡ୍ରାଇଭରଙ୍କୁ ଅଟକ ରଖିଛି । ଡ୍ରାଇଭର ଜଣକ ଅଙ୍କିତ କୁମାର ପାଣ୍ଡେ ଓ ସେ ବିହାରର ବୋଲି ଜଣାପଡିଛି ।