ଛତ୍ରପୁର ଠାକୁରଣୀଯାତ୍ରାରେ ୪୦ ହଜାର ଜନସମାଗମ

  • ବର୍ଣ୍ଣାଢ୍ୟ ପଟୁଆରରେ ନେତା ନେତ୍ରୀଙ୍କ ଯୋଗଦାନ ଅଧିକ ସରଗରମ ଆଣିଦେଇଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲୀଳାମୟୀ କରୁଣାମୟୀ ମା’ ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ଦିନକୁଦିନ ଖୁବ ସରଗରମ ହୋଇଉଠିଛି । ଗତକାଲି ସନ୍ଧ୍ୟାରେ ବିଶିଷ୍ଟ ରାଜନେତା ତଥା ରାଜ୍ୟ କୃଷିବିପଣନ କମିଟିର ଅଧ୍ୟକ୍ଷ ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଳକ୍ ଚେୟାରମ୍ୟାନ ଶ୍ରୀମତୀ କିରଣ କୁମାରୀ ଦାସ, ଛତ୍ରପୁର ଏନ୍.ଏ.ସି. ଚେୟାରମ୍ୟାନ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଏବଂ ବହୁ ନେତା, ନେତ୍ରୀ, ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଦେବୀଙ୍କ ବିଭୂକୃପା ଲାଭକରି ଖୁସିବ୍ୟକ୍ତ କରିଛନ୍ତି । ଦେବୀଙ୍କ ସମ୍ଭାର ଦେଖି ମୁଗ୍ଧ ହୋଇଛନ୍ତି । ଘୋଡାନାଚ, ବୃଷଭ, ବାଘନାଚ, ବିଭିନ୍ନ ଦେବୀନୃତ୍ୟ, ନବଦୁର୍ଗା, ବନଦୁର୍ଗା, କାଳୀ, ଚାମଣ୍ଡା, ଦେବୀଙ୍କ ମୁଖ୍ୟ ସହଚରୀ ରଣପା କାଳୀ, ଘଣ୍ଟଦଳ, ଚାଙ୍ଗୁବାଦ୍ୟ, ବୀର କାହାଳୀ, ଶଙ୍ଖଧ୍ୱନିରେ ଛତ୍ରପୁରସହର ମୁଖରୀତ ହୋଇଉଠିଛି । ଦଶଭୂଜା ତ୍ରି-ନେତ୍ର ଧାରୀ ଦେବୀଙ୍କ ସାମ୍ନାରେ ମାଆଙ୍କ ସଙ୍ଗିନୀ ରଣପା-କାଳୀଙ୍କ ନୃତ୍ୟ ଖୁବ ଆକର୍ଷଣୀୟ ଅଟେ । ଏହି ରଣପାକାଳୀଙ୍କ ନୃତ୍ୟ ଗଞ୍ଜାମର ଲୋକନୃତ୍ୟର ପରିଚୟ ସହ ପ୍ରତିପାଦନ କରିଥାଏ । ମାସବ୍ୟାପୀ ପାଳିତ ହୋଇ ଆସୁଥିବା ଐତିହାସିକ ଛତ୍ରପୁରର ଠାକୁରାଣୀ ଯାତ୍ରାର ଗୁରୁବାର ସନ୍ଧ୍ୟାରେ ୧୯ତମ ଘଟଯାତ୍ରା ଅବସରରେ ଅପର-ବସଷ୍ଟାଣ୍ଡ ଅଭିମୁଖେ ଦେବୀଙ୍କ ଆଗମନ ହେଉଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉଦ୍ଦେଶ୍ୟରେ ଗୁରୁବାର ସନ୍ଧ୍ୟାରେ ରାଜ୍ ଭୋଗ ସମର୍ପଣ ହେବ । ପରେ ବାଟ ଛତ୍ରପୁର ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ସମବେତ ପାର୍ବଣ ଅନୁଷ୍ଠିତ ହୋଇ ଦେବୀଙ୍କୁ ରାଜଭୋଗ ସମର୍ପି ଲାଗିହେବ ବୋଲି ସୂଚନା ମିଳିଛି । ବୁଧବାର ସନ୍ଧ୍ୟାରେ ସାମ୍ରାଜ୍ୟପେଟ୍ଟା ସାହି ଓ ପୁରୁଣା ଡାକଘର ସାହି, ମୁସିଲିକାଉଣ୍ଟିସାହି, କର୍ପୋରେସନ ସାହିକୁ ମାଆଙ୍କ ଆଗମନ ହୋଇଛି । ଚଳିତ ଜୁନମାସ ୭ତାରିଖରେ ଉଦ୍‌ଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି । ଏହିଯାତ୍ରା ସରିବା ପାଇଁ ଦିନ ପାଖେଇ ଆସୁଥିବା ବେଳେ ବର୍ଣ୍ଣାଢ୍ୟ ପଟୁଆର ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ସୁଦୂର ଗଞ୍ଜାମ, ରମ୍ଭା, ଖଲ୍ଲିକୋଟ, ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ ସମେତ ସୀମାନ୍ତ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ମଧ୍ୟ ମା’ଙ୍କ ମହିମା ପ୍ରଭାବ ବିସ୍ତାର କରିଥିବା ଅନେକ ଲୋକ ନିଜର ମନବାଞ୍ଛା ପୂରଣ କରିବା ନିମିତ୍ତ ଦୈନିକ ମା’ଙ୍କ ଦର୍ଶନ ନିମନ୍ତେ ସମୟ ବାହାର କରି ଆସୁଛନ୍ତି । ବିଭିନ୍ନ ଭୋଗରାଗ ନେଇ ଶଙ୍ଖା, ସିନ୍ଦୁର, ନୂଆଁ ଲୁଗା ଆଣି ଦେବୀଙ୍କ ନିକଟରେ ସମର୍ପି ଲାଗି କରନ୍ତି । ଅନେକ ଲୋକ ଦେବୀ ଭଗବତୀଙ୍କ ବିଭୂକୃପା ଲାଭକରି ଆସି ଅନେକ କୃତକାର୍ଯ୍ୟ ହାସଲ କରିଥିବା କୁହାଯାଏ । ମା’ଙ୍କ ନଗର ପରିଭ୍ରମଣ ବେଳେ ବିଭିନ୍ନ ଲୋକଙ୍କ ଦ୍ୱାର-ଦ୍ୱାରରେ ମାଆ ଭୋଗରାଗ ଖାଇଥାଆନ୍ତି । ପ୍ରତିଟି ଦ୍ୱାରରେ ଗୃହିଣୀମାନେ ମାଆଙ୍କ ପାଦ ଧୋଇଥାନ୍ତି । ଆରତୀ, ଗନ୍ଧପୁଷ୍ପାଦି ସହ ବସ୍ତ୍ରଭୂଷଣରେ ସମର୍ପି ଲାଗି ହୁଅନ୍ତି । ଦେବୀଙ୍କୁ ନିଜ ଘର ଦ୍ୱାରରେ ଭକ୍ତଜନ ସମ୍ବର୍ଦ୍ଧିତ କରିଥାନ୍ତି । ନଗରଭ୍ରମଣ ସାରି ଦେବୀଙ୍କ ବିଜେସ୍ଥଳ ଅବା ଅସ୍ଥାୟୀ ମଣ୍ଡପକୁ ଫେରିଲା ବେଳକୁ ଭୋର ୪ ଘଣ୍ଟା ବାଜିଯାଉଛି । ତଥାପି ସେବାୟତ ମାନେ କୌଣସି ଅବହେଳା ନ କରି କର୍ମଚଞ୍ଚଳ ପ୍ରତିପାଦନ କରି ଦୈନିକ ନୀତିକ୍ରାନ୍ତିରେ ସମାହିତ କରିଥାନ୍ତି ଏବଂ ସର୍ବଦା ଦେବୀଙ୍କ ସେବାରେ ନିୟୋଜିତ ହୋଇଥାନ୍ତି । ଏବେ ରାମଦୋଳି, ମୀନାବଜାର ଆଦି ପସରାମେଲିଯାଇଛି । ସହରର ମୁଖ୍ୟ ସଡକପଥରେ ବିଭିନ୍ନ ସ୍ଥାନରେ ରଥାରୂଢମେଢ଼ ପ୍ରଦର୍ଶିତ ହୋଇ ଦର୍ଶକଙ୍କୁ ବେଶ ଆକର୍ଷିତ କରାଇ ଭକ୍ତିଭାବାପନ୍ନ ଆଡକୁ ଲୋକଙ୍କୁ ଟାଣି ଆଣିଛି । ଯାତ୍ରାର ସମାଗମ ଦ୍ଵିଗୁଣିତ କରି ସରଗରମ ବୃଦ୍ଧି କରିଛି । ଜନଗହଳି ମଧ୍ୟରେ ବିଭିନ୍ନ ପସରା ଆସି ଅଧିକ ଚଳଚଞ୍ଚଳ କରି ଲୋକମାନଙ୍କ ମଧ୍ୟରେ ଅନେକ ସରସତା ଆଣିଦେଇଛି ।

Leave A Reply

Your email address will not be published.