
ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦୀର୍ଘ ଦୁଇମାସ ତଳେ ଅଳିଆ ଗଦାରୁ ଅତ୍ୟନ୍ତ ସଂକଟାପନ୍ନ ଭାବରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ୧୦୮ ଆମ୍ବୁଲେନ୍ସ ଯୋଗେ ଉଦ୍ଧାର କରି ତାଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ତାଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ସୂଚନାଯୋଗ୍ୟ ଯେ, ସେ ଜଣେ ମାନସିକ ରୋଗୀ । ତାଙ୍କ ହିମୋଗ୍ଲୋବିନ କମ୍ ଥିଲା । ତାଙ୍କୁ ରକ୍ତ ଦିଆଗଲା ଏବଂ ଦୀର୍ଘ ଦିନର ଚିକିତ୍ସା ପରେ ସେ ପୁର୍ବାପେକ୍ଷା ଟିକେ ସୁସ୍ଥ ଅନୁଭବ କଲେ । ଦୁଃଖର ବିଷୟ ଯେ, ମାନସିକ ରୋଗୀଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ କୌଣସି ପ୍ରକାରର ସାଧନ ନାହିଁ । ବହୁଥର କହିବା ଏବଂ ଚିଠି ଦେଲା ପରେ ବରଗଡ ଡିଏସ୍ଏସ୍ଓଙ୍କ ଉଦ୍ୟମରେ ଓ ନିଷ୍ଠାର ଚେଷ୍ଟା ଫଳରେ ପୁରୀର ନିଳାଚଳ ସେବା ପ୍ରତିଷ୍ଠାନରେ ତାଙ୍କର ଥଇଥାନ କରାଯାଇଥିଲା । ନିଷ୍ଠାର ସଦସ୍ୟ ସଚିନ ଭାଇ ଓ ଦୟା ଭାଇ ତାଙ୍କୁ ନେଇ ପୁରୀ ନିଳାଚଳ ସେବା ପ୍ରତିଷ୍ଠାନରେ ଛାଡିଥିଲେ । ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ମାନସିକ ରୋଗୀଙ୍କ ଥଇଥାନର ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି ।
