
ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । କଲବଲ କରୁଛି ଅସହ୍ୟ ଗୁଳୁଗୁଳି । ଦିନ ୯ଟାରେ ଘରୁ ବାହାରିବା ହୋଇଯାଉଛି ମୁସ୍କିଲ । ତତଲା କଡ଼େଇରେ ସନ୍ତୁଳି ହେଉଛନ୍ତି ଲୋକେ । ତେବେ ତାତିରୁ ସାମାନ୍ୟ ଆଶ୍ଵସ୍ତି ଦେଇପାରେ କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଛି । ତେବେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବୁଧବାର ସମ୍ବଲପୁରର ଦିନ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ଛୁଇଁବ । ବଲାଙ୍ଗିରରେ ୪୦, ଝାରସୁଗୁଡ଼ା, ବୌଦ୍ଧ, ବରଗଡ଼ ଓ ଟିଟଲାଗଡ଼ରେ ୩୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର(୨୨ ତାରିଖ) ସମ୍ବଲପୁର ଓ ବଲାଙ୍ଗିରରେ ୪୦ ଡିଗ୍ରୀ ଛୁଇଁବ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୮ରୁ ୪୦ ଡିଗ୍ରୀ ରହିପାରେ । ମଙ୍ଗଳବାର ସମ୍ବଲପୁରରେ ତାତି ୪୧.୬ ଡିଗ୍ରୀ ରହିଥିଲା । ହୀରାକୁଦ, ବଲାଙ୍ଗିର, ଟିଟିଲାଗଡ଼ ଓ ଅନୁଗୁଳରେ ତାତି ୪୦ ଡିଗ୍ରୀ ଉପରେ ଥିଲା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ପାଖାପାଖି ରହିଥିଲା ।