
ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜିଆଇଇଟି ବିଶ୍ଵବିଦ୍ୟାଳୟର ପାଞ୍ଚ ମହଲା କୋଠା (ସିଏସଇ) ବିଭାଗର କମ୍ପ୍ୟୁଟର ଲ୍ୟାବରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପାୟ କୋଟିଏରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ଏଥିସହ ଓଜେଇ ପରୀକ୍ଷା ଅଧାରୁ ବନ୍ଦ କରାଯାଇଛି । କମ୍ପ୍ୟୁଟର ଲ୍ୟାବରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇ ଗୁଣପୁର ଅଗ୍ନିଶବ ବାହିନୀର ଅଧିକାରୀ ରଜନୀ କାନ୍ତ ଗୌଡ଼ ସଦଳେ ବଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା ଲ୍ୟାବରେ ସର୍ଟ ସର୍କିଟରୁ ଏହି ଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଇଛି । ଏଥିରେ ଲ୍ୟାବରେ ଥିବା ୧୪ଟି କମ୍ପ୍ୟୁଟର ଟେବୁଲ୍, ଚେୟାର , ସିଲିଂ ସର୍ଭର ରୁମ ପୋଡ଼ି ନଷ୍ଟ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧହେବ ବୋଲି ବିଶ୍ୱବିଦ୍ୟାଳୟର ଡିନ ପ୍ରଶାସନ ଡଃ ଏନ. ଭି.ଜେ. ରାଓ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡ କାରଣରୁ ଶନିବାର ଚାଲିଥିବା ଓଜେଇ ପରୀକ୍ଷା ଅଧାରୁ ବନ୍ଦ କରି ଦିଆଯାଇଥିଲା । ଶହେ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବ ବେଳେ ପରୀକ୍ଷା ସରିବା ପାଇଁ ଆଉ ମାତ୍ର ୪୦ ମିନିଟ ରହିଥିଲା । ତେବେ ନିରାପତ୍ତା ଦୃଷ୍ଟିରୁ ତାହା ବନ୍ଦ କରାଯାଇଛି । ଏହା ସହ ଦ୍ଵିତୀୟ ସିଫ୍ଟରେ ଥିବା ପରୀକ୍ଷାକୁ ମଧ୍ୟ ବନ୍ଦ କରି ଦିଆଯାଇଛି ବୋଲି ଜଣାପଡିଛି । ଅଗ୍ନିକାଣ୍ଡରେ କ୍ଷତି ପରିମାଣ ଅଗ୍ନିଶମ ବିଭାଗ ଆକଳନ କରିବା ପରେ ଜଣାପଡ଼ିବ ।