ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ୨୦୨୧- ୨୨ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବନ୍ଦନା ସୋରେନଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୩ ଥାନାର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ମହିଳାମାନେ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସମାଜ ଗଠନରେ ସେମାନଙ୍କ ଅବଦାନ ଅନେକ । ତେଣୁ ସେମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କ ପାଇଁ ଆତ୍ମସୁରକ୍ଷା ଅତ୍ୟାବଶ୍ୟକୀୟ ଓ ଜରୁରୀ ହୋଇପଡିଛି । ଆତ୍ମବିଶ୍ବାସ ବଢାଇବା ସହ ଶାରିରୀକ, ମାନସିକ, ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ସ୍ତରକୁ ଉନ୍ନତି କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । କୌଣସି ଅସୁବିଧାରେ ୧୧୨ ନମ୍ବରକୁ ଫୋନ୍ କରିବା ସହ ଆବଶ୍ୟକ ପଡିଲେ ହୁଇସିଲ ବ୍ୟବହାର କରିବା ପାଇଁ ଶ୍ରୀ ପ୍ରଧାନ କହିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଏହିଭଳି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢାଇବ ବୋଲି କହିଥିବା ବେଳେ ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ୨୪ଦିନ ଧରି ଚାଲିଥିବା ଏହି ଶିବିରରେ ୨୯୩ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରଶ୍ମିରଂଜନ ରାଉତ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ଡଃ ଅଞ୍ଜନା ମୈତ୍ର ସିହ୍ନା, ଅଧ୍ୟାପିକା ତପସ୍ବିନୀ ମିଶ୍ର, ଅଧ୍ୟାପିକା ଭାରତୀ ବରୁଆ, ଅଧ୍ୟାପକ ତରଣୀ ନାୟକ, ସୌରଭ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରୀ ନିକିତା ଶର୍ମା ନିଜ ଅଭିଜ୍ଞତା ବଖାଣି ଥିବା ବେଳେ ମୁଖ୍ୟଅତିଥି ଶ୍ରୀ ବିଶ୍ବାଳ ଅଂଶଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁସ୍ତକ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆତ୍ମସୁରକ୍ଷା ତାଲିମ ଦେଇଥିବା ଜୟକୁମାରୀ ସିଂହ, ତେଜସ୍ବିନୀ ଷଡଙ୍ଗୀ ଓ ଖୁସବୁ କେରକେଟାଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.