ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ପଂଚାୟତ ଆଡେନଡୁଙ୍ଗୁରି ଗ୍ରାମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଧାନ ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୃଷି ଯୋଜନା ଅଧିକାରୀ ଦେବପ୍ରିୟ ପଣ୍ଡା, ୟୁପକୋ କ୍ଷେତ୍ର ଅଧିକାରୀ ସୁରଜ ମହାନ୍ତି, ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତ,ପ୍ରକଳ୍ପର ଅଞ୍ଚଳ କ୍ଲଷ୍ଟର କୋଡିନେଟର ଗୋବିନ୍ଦ ଚନ୍ଦ୍ର ବିଶି, କୃଷକ ସାଥି ଅଚ୍ୟୁତାନନ୍ଦ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଧାନ ପରବର୍ତ୍ତୀ ପଡିଆ ଜମିର ସୁପରିଚାଳନା ବ୍ୟବସ୍ଥା ଯାହା କି ଡାଲି ଜାତୀୟ ଫସଲର ପ୍ରୋତ୍ସାହନ କରି ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଉତ୍ପାଦନକୁ ବୃଦ୍ଧି କରିଥାଏ । ଡାଲି ଜାତୀୟ ଚାଷ ଜମିରେ ସୌର ଆଲୋକ ଟ୍ରାପ, କୀଟ ପତଙ୍ଗ ସଂଲଗ୍ନ ହଳଦିଆ ଷ୍ଟିକ ଟ୍ରାପ ଉପରେ ତାଲିମ ଦିଆଯିବା ସହିତ ଚାଷୀଙ୍କୁ ସଚେତନ କରାଯାଇଥିଲା । ଚାଷରେ ବ୍ୟବହାରିକ ସାର ପ୍ରୟୋଗ କରିବା ସହିତ ଔଷଧରେ କିଭଳି ରାସାୟନିକ ସାର ବ୍ୟବହାର ନ କରି ଜୈବିକ ଖତ ଉପରେ ସବୁ ଚାଷୀ ଧ୍ୟାନ ଦେବେ ସେନେଇ ଆଲୋଚନା କରାଯାଇଥିଲା । ଏଥିସହିତ ଚାଷୀ ମାନଙ୍କ ତରଫରୁ ଉପସ୍ଥାପିତ ଚାଷ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଅସୁବିଧାକୁ ଯୋଜନା ଅଧିକାରୀଙ୍କ ଦ୍ଵାରା ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଇ ନିରାକରଣ କରାଯାଇଥିଲା । ଏହି ଅବସରରେ ଗାଁରେ ହୋଇଥିବା ମୁଗଚାଷ ଏରିଆକୁ ଅଧିକାରୀଗଣ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.