ଡ୍ୟୁଟି କରୁଥିବା ବେଳେ ଟଳି ପଡିଲେ କନଷ୍ଟେବଳ ସରୋଜ ପ୍ରଧାନ

  • ଜିଲ୍ଲା ପୋଲିସ୍ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଏସ୍‌ସି ଏସ୍‌ଟି ମିଳିତ ମଞ୍ଚ ପକ୍ଷରୁ ତହସିଲ ଠାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଡ୍ୟୁଟି କରୁଥିବା ସମୟରେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଡିସିଆର୍‌ବି ବିଭାଗରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ସରୋଜ କୁମାର ପ୍ରଧାନ ଆଜି ଉଲୁଣ୍ଡା ତହସିଲ ଠାରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମର ଫଟୋ ଓ ଭିଡ଼ିଓ ଗ୍ରାଫି କରୁଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ପାଇଁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପରେ ସୋନପୁର ଜିଲ୍ଲା ମୁଖ୍ୟାଳୟରେ ପୋଷ୍ଟମର୍ଟମ କରାଯିବା ପରେ ମର ଶରୀରକୁ ସ୍ଥାନୀୟ ରିଜର୍ଭ ପୋଲିସ୍ ପଡିଆକୁ ନିଆଯାଇଥିଲା । ସ୍ୱର୍ଗୀୟ ସରୋଜଙ୍କୁ ଜିଲ୍ଲା ପୋଲିସ୍ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏଥିରେ ଏସ୍‌ପି ନାରାୟଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ.କେ. ହରିପ୍ରସାଦ, ଏସ୍‌ଡିପିଓ ପ୍ରତାପ ତ୍ରିପାଠୀ, ହେମନ୍ତ ରାଓ ଙ୍କ ସହ କନେଷ୍ଟବଳ ଓ ହାବିଲଦାର ସଂଘ ସଭାପତି ଦିନେଶ ମିଶ୍ର ଏବଂ ଜିଲ୍ଲା ପୋଲିସ ତଥା ଆରକ୍ଷୀ ବାହିନୀର ସମସ୍ତ ଉଚ୍ଚ ପଦାଧିକାରୀ କର୍ମଚାରୀ ସ୍ଵର୍ଗତ ସରୋଜଙ୍କ ମର ଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସରୋଜ ଜଣେ ବେଶ କର୍ତ୍ତବ୍ୟ ନିଷ୍ଠ, ଶୃଙ୍ଖଳିତ, ମେଳାପୀ, ଅମାୟିକ ବ୍ୟକ୍ତି ଥିବା ବେଳେ ମୃତ୍ୟୁରେ ସମଗ୍ର ପୋଲିସ ବିଭାଗ ସମେତେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.