- ଡାକ୍ତର ନିଯୁକ୍ତି ଓ ଠିକ୍ ସମୟରେ କର୍ମଚାରୀମାନେ ଆସୁନଥିବା ଅଭିଯୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଜାମସେଠ ଡାକ୍ତରଖାନାରେ ଶନିବାର ଅଞ୍ଚଳବାସୀ ଦ୍ୱାରା ତାଲା ବନ୍ଦ କରାଯାଇଥିଲା । ଜଣେ ଏମ୍ବିବିଏସ୍ ଡାକ୍ତର ନିଯୁକ୍ତି ନଥିବା ହେତୁ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ଡ଼ାକ୍ତରଖାନା । ଏପଟେ କର୍ମଚାରୀମାନେ ଠିକ୍ ସମୟରେ ପହଞ୍ଚୁ ନଥିବାରୁ ରୋଗୀମାନେ ହଇରାଣ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ଶନିବାର ଜାମସେଠ ଯୁବକ ସଂଘ, ଗ୍ରାମବାସୀ ତଥା ଅଞ୍ଚଳବାସୀ ଡାକ୍ତରଖାନାକୁ ଆସି ତାଲା ବନ୍ଦ କରିଦେଇଥିଲେ । ଏନେଇ ଖବର ଜାଣିବା ପରେ ପାଇକମାଲ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଘଟଣା ଉପରେ ବୁଝାସୁଝା ପରେ ଧାରଣାରୁ ଅଞ୍ଚଳବାସୀ ଓହରି ଥିଲେ । ଏନେଇ ୭ ଦିନ ମଧ୍ୟରେ ଡାକ୍ତର ନିଯୁକ୍ତି କରାନଗଲେ ଏକ ବଡ଼ ଆନ୍ଦୋଳନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ସୂଚନାଯୋଗ୍ୟ ଯେ, ଜାମସେଠ ଡାକ୍ତରଖାନା ଏ ଅଞ୍ଚଳ ପାଇଁ ବହୁ ପୁରୁଣା ଡାକ୍ତରଖାନା । ସମୟ ଥିଲା ଏହି ଡାକ୍ତରଖାନା ଉପରେ ବହୁ ଲୋକ ନିର୍ଭର କରୁଥିଲେ । ଏବେ ମୁଖ୍ୟ ଡାକ୍ତର ନଥିବାରୁ ଅଞ୍ଚଳବାସୀ ଏପଟେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନା, ରାଇପୁର, ପଦ୍ମପୁର, ସମ୍ବଲପୁର ତଥା ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏଥିରେ ଜଣେ ନିୟମିତ ଏମ୍ବିବିଏସ୍ ଡାକ୍ତର, ଆଟେଣ୍ଡେଣ୍ଟ, ଷ୍ଟାଫ ନର୍ସ ଭଳି ପଦବୀ ଶୀଘ୍ର ନିଯୁକ୍ତି କରାଯାଉ ବୋଲି ଦାବୀ କରିଛନ୍ତି । ଏପଟେ ନୂଆ ସରକାରୀ ଡାକ୍ତରଖାନା ତିଆରି ହୋଇସାରିଛି । ଆଉ କେତେଦିନ ପରେ ଉଦ୍ଘାଟନ ହେବ । ଏନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ପୂର୍ବ ସରକାରଙ୍କ ସମୟରେ ଜାମସେଠ ଡାକ୍ତରଖାନା ୨୪ ଘଣ୍ଟିଆ ଡାକ୍ତରଖାନା ଖୋଲାଯିବା ଭିତ୍ତି ପ୍ରସ୍ତର କରି ନୂତନ କୋଠା ତିଆରି ହୋଇସାରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।