ବରଗଡ, (ମୁନ୍ନା ସାହୁ) : ଓଡ଼ିଶାର ଭାତହାଣ୍ଡି ଭାବେ ସୁନାମ ଅର୍ଜନ କରିଥିବା ବରଗଡ଼ ଜିଲ୍ଲାର ଅଣ ଜଳସେଚିତ ବ୍ଲକ ଅମ୍ବାଭାନା ରବିଋତୁରେ ତୈଳଜାତୀୟ ଫସଲ ଚାଷ ପାଇଁ ବେଶ ପରିଚିତ । ଗୋଟିଏ ପଟେ ବିସ୍ତୀର୍ଣ୍ଣ ବାରପାହାଡ଼ ପର୍ବତ ଅନ୍ୟପଟେ ମହାନଦୀ ଏବଂ ହୀରାକୁଦ ରିଜର୍ଭ ଥିଲେ ମଧ୍ୟ ପାଣି ଟିକିଏ ପାଇଁ ବାରମ୍ବାର ମରୁଡି ହୋଇଥାଏ । ରବି ଋତୁରେ ପାର୍ବତୀ ଗିରି ମେଗା ଉଠାଜଳସେଚନ ଦ୍ୱରା ପ୍ରଚୁର ପରିମାଣରେ ତେଲ ଜାତୀୟ ଚାଷ ହୋଇଥାଏ । ଚଳିତ ବର୍ଷ ଜିଲ୍ଲାରେ ସୋରିଷ ୩୨୫୪ ହେକ୍ଟର ଜମିରେ ଚାଷ ହେଉଥିବା ବେଳେ ଅମ୍ବାଭାନା ବ୍ଲକରେ କେବଳ ୧୭୧୦ ହେକ୍ଟର ଚାଷ ହୋଇଥିବା କୃଷି ବିଭାଗ ରିପୋର୍ଟ ଦେଇଛି । ଏହି ବର୍ଷ ଅନୁକୂଳ ଜଳବାୟୁ କାରଣରୁ ଫସଲ ବହୁତ ବଢିଆ ହୋଇଥିବା ଜଣା ପଡୁଅଛି । ଏକ ଏକର ପାଇଁ ଜମି ପ୍ରସ୍ତୁତି ଟ୍ରାକ୍ଟର ଭଡା ୨୦୦୦ ଟଙ୍କା, ବିହନ ୪ କେଜି ପାଇଁ ୪୦୦ ଟଙ୍କା ଏବଂ ସାର ଔଷଧ ପାଇଁ ୩୫ ଶହ, ଅମଳ ପାଇଁ ୨୦୦୦ ଟଙ୍କା ଏବଂ ଜଳସେଚନ ପାଇଁ ଏବଂ ଲେବର ପାଇଁ ୨୦୦୦ ଟଙ୍କା ଖର୍ଚ୍ଚ ମୋଟ ୧୦ ହଜାର ହେଉଥିବା ବେଳେ ଏକର ପ୍ରତି ୪ କୁଇଣ୍ଟାଲ ଅମଳ ହୋଇଥାଏ, କୁଇଣ୍ଟାଲ ପ୍ରତି ୫ ହଜାର ଟଙ୍କା ହିସାବରେ ବିକ୍ରି ହେଉଛି ଯାହାକି ୨୦ ହଜାର ଟଙ୍କା ହୋଇଥାଏ । ଏକର ପ୍ରତି ୧୦ ହଜାର ଟଙ୍କା ଲାଭ ମିଳିଥାଏ । ଏଣୁ ଅମ୍ବାଭାନା ବ୍ଲକର କଣ୍ଟିପାଲି, ମୁଚମଲଡା, ତେଲିପାଲି, ଚି଼ଚୁଲି, ରୁଚିଦା, ଉତ୍ତମ, ଲଖନପୁର, ଅମ୍ବାଭାନା ଆଦି ଗ୍ରାମ ମାନଙ୍କରେ ବହୁଳ ଭାବେ ଚାଷ ହୋଇଛି । କମ ପାଣି, କମ ଲେବର ଏବଂ କମ ଖର୍ଚ୍ଚ ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରିଥିବା ବେଳେ ସରକାରୀ ସୁବିଧା ବିଶେଷ ନ ଥିବାରୁ ବେଳେ ବେଳେ ବହୁତ କ୍ଷତି ସହିବାକୁ ପଡିଥାଏ । ବିଶେଷ ଭାବେ ବିହନ, ସାର କୀଟନାଶକ, ଜଳସେଚନ, ମଣ୍ଡି ବ୍ୟବସ୍ଥା, କ୍ଷୟକ୍ଷତି ହେଲେ ଇନପୁଟ ଏବଂ ବୀମା ଆଦି ସୁଯୋଗ ମିଳିଲେ ଆହୁରୀ ଅନୁପ୍ରାଣିତ ହେବେ ବୋଲି ଚାଷୀମାନେ ପ୍ରକାଶ କରୁଛନ୍ତି ।