ବସଯାତ୍ରୀଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ତାଗିଦ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ୍ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡକୁ ଅଚାନକ ପରିଦର୍ଶନ କରି ବାସ୍ତବ ସ୍ଥିତି ପରଖିଛନ୍ତି । ବସଯାତ୍ରୀଙ୍କୁ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ସର୍ବ ସମ୍ମୁଖରେ ତାଗିଦ କରିଥିବା ଦେଖିବାକୁ ମିଳିଥିଲା । ଅସ୍ଥାୟୀ ବସଷ୍ଟାଣ୍ଡରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ପିଏଚ୍‌ଡି ଦେଇଥିବା ପାଣି ଟାଙ୍କିଟି ଦୁଇ ଦିନ ଧରି କୁଆଡେ ଗାଏବ ହୋଇଯିବା ପରେ ଜନ ସାଧାରଣଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ଏ ବିଷୟରେ ପିଏଚ୍‌ଡି ଓ ପୌର ପରିଷଦ ଅଧିକାରୀଙ୍କୁ ଆଜି ଜିଲ୍ଲାପାଳ ବାରମ୍ବାର ପଚାରିବା ପରେ ମୁଣ୍ଡ ନୁଆଇଁ କୌଣସି ଉତ୍ତର ଦେଇ ନ ଥିଲେ । ବସଷ୍ଟାଣ୍ଡ ପରିଦର୍ଶନ ସମୟରେ ଲୋକଙ୍କ ରହଣି ସ୍ଥାନ ନ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖି ଜିଲ୍ଲାପାଳ ଶୀଘ୍ର ଏକ ରହଣି ସ୍ଥାନ ତିଆରି ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ । ବସଯାତ୍ରୀ ଏବେ ଯାଏ ଖରାରୁ ରକ୍ଷା ପାଇଛନ୍ତି କେବଳ ସୁବର୍ଣ୍ଣପୁର ବସ ମାଲିକ ସଂଘ କରିଥିବା ଅସ୍ଥାୟୀ ଟେଣ୍ଟ ଓ ଉଠା ଦୋକାନୀଙ୍କ ସହଯୋଗ ପାଇଁ । ପୁରୁଷ ଓ ମହିଳା ଶୌଚାଳୟ ତିଆରି ହୋଇ ସାରିଥିଲେ ମଧ୍ୟ ଜାଣି ଶୁଣି ବିଳମ୍ବ ଓ କାର୍ଯ୍ୟକ୍ଷମ କରି ନ ଥିବାରୁ ଶୀଘ୍ର ଲୋକଙ୍କ ବ୍ୟବହାରରେ କିପରି ଆସିବ ସେନେଇ ପୌର ପରିଷଦ ଅଧିକାରୀଙ୍କୁ ଅବଗତ କରିଥିଲେ । ଥଣ୍ଡା ପାଣି ସୁବିଧା କିପରି ବ୍ୟବସ୍ଥା ହୋଇପାରିବ ସେନେଇ ସୋନପୁର ଘରୋଇ ବସ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ର ଓ ସମ୍ପାଦକ ସୁଦର୍ଶନ ପଣ୍ଡାଙ୍କ ସହ ସ୍ପଟ୍‌ରେ ଆଲୋଚନା କରିଥିଲେ । ଉଠା ଦୋକାନୀମାନେ ବସଷ୍ଟାଣ୍ଡ ଉପରକୁ ମାଡ଼ି ଆସିଥିବାରୁ ପ୍ରଶାସନର ବିନା ଅନୁମତିରେ ଉଠା ଦୋକାନୀ କେବଳ ୫ ଫୁଟ ଜାଗା ରଖି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାକି ଜାଗା ଶୀଘ୍ର ଖାଲି କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୌର ପରିଷଦ ପକ୍ଷରୁ ଦିଆଯାଇଥିବା ଭଙ୍ଗା ଓ ଅଚଳ ପାଣି ଟେପକୁ ଦେଖି ଅଧିକାରୀଙ୍କୁ ଖୁବ୍‌ ଗାଳି କରିଥିଲେ ଓ ବିକାଶ କାର୍ଯ୍ୟରେ ସାଧାରଣ ଲୋକଙ୍କ ମୌଳିକ ସୁବିଧା ବା ଅଧିକାରରେ ଯିଏ ବ୍ୟାଘାତ ସ୍ରୁଷ୍ଟି କରିବ ସେ ଜିଲ୍ଲା ପ୍ରଶାସନର, ସରକାରଙ୍କ ଓ ଲୋକଙ୍କ ଶତ୍ରୁ ବୋଲି ଧରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ନୂଆ (ଅସ୍ଥାୟୀ)ଓ ପୁରୁଣା ବସଷ୍ଟାଣ୍ଡକୁ ଦୁଇ ମାସ ମଧ୍ୟରେ ଜିଲ୍ଲାପାଳ ୧୨/୧୫ ଥର ମାରାଥନ ଗସ୍ତ କରି କାର୍ଯ୍ୟ ତଦାରଖ କରିବା ପରେ ଆଜି ଏତେ ବାଟ ଯାଏ ପହଞ୍ଚିଛି । ଆଉ ଛଅ ମାସ ଯାଏ କାହିଁକି ନୂଆ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ବିଳମ୍ବ ହେଲା ତାହା ମଧ୍ୟ ସହରବାସୀ ସମସ୍ତେ ଜାଣନ୍ତି । ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ତଥା ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.