କମଳିନୀ ଏସଏଚଜିରେ ଚାଷୀଙ୍କ ନାଁରେ ଧାନ ବିକୁଛନ୍ତି ବେପାରୀ : ତଦନ୍ତ ହେବ, କହିଲେ ଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଧାର କରଜ ଆଣି ଚାଷୀ ବିଲରେ ଧାନ ବୁଣି ଅମଳ କରିଥାଏ । ଭଲ ଅମଳ ହେଲେ କିଛି ଟଙ୍କା ମିଳିବ ଓ ପରିବାର ପୋଷଣ କରିବ । ଏଭଳି ଅନେକ ଆଶା ନେଇ ଚାଷୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଲିଥାଏ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗ୍ରାମରେ ଥିବା କମଳିନୀ ଏସଏଚଜି ମହିଳା ଗୋଷ୍ଠୀ ଧାନ କିଣୁଛନ୍ତି । କିନ୍ତୁ ଚାଷୀଙ୍କ ନାଁରେ ସିଧା ମିଲ୍‌କୁ ନେଇ ବେପାରୀ ଏନ୍‌ଟ୍ରି କରୁଥିବା ଅଭିଯୋଗ ହୋଇଛି । ତେବେ ସଇଁନ୍ତଲା ବ୍ଲକର ୨୨ଟି ପଂଚାୟତ ମଧ୍ୟରୁ ୧୧ଟି ସମବାୟ ସମିତି ରହିଥିବା ବେଳେ କିଛି ଏସଏଚଜି ମହିଳା ଦଳ ମଧ୍ୟ ଧାନ କିଣୁଛନ୍ତି । ହେଲେ ଚାଷୀଙ୍କୁ ଟୋକନ ମିଳିଥିଲେ ସୁଦ୍ଧା ବେପାରୀଙ୍କୁ ଆଗେ ସୁଯୋଗ ଦିଆଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବଲାଙ୍ଗିର ଜିଲ୍ଲାପାଳ କହିଛନ୍ତି, ଯଦି ଏଭଳି କାର୍ଯ୍ୟ ହେଉଛି ତେବେ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ । ଘୁନସର କମଳିନୀ ଏସଏଚଜି ଧାନ ସଂଗ୍ରହ କେନ୍ଦ୍ରରେ ବେପାରୀଙ୍କ ଦବଙ୍ଗଗିରି ଚାଲିଛି ବୋଲି ଆଲୋଚନା ହେଉଛି । ଏଥିରେ ପ୍ରକୃତ ଚାଷୀ ଧାନ ବିକ୍ରୀ କରିବାରେ ବିଫଲ ହେଉଛନ୍ତି । ତେବେ ସଇଁନ୍ତଲା ବ୍ଲକର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡି ରହିଥିବା ନେଇ ଅନେକ ଥର ଚାଷୀ ପ୍ରତିବାଦ କରୁଥିଲେ ମଧ୍ୟ ସରକାରୀ ବାବୁ ନିରବଦ୍ରଷ୍ଟା ସାଜିଥିବା ଦେଖାଦେଇଛି । କମଳିନୀ ଏସଏଚଜିରେ ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କ ପାଇଁ କୈାଣସି ପ୍ରକାରର ସୁବିଧା ସୁଯୋଗ କରାଯାଉନାହିଁ । ଏସଏଚଜିର ମହିଳାମାନେ ରହି ଧାନ କିଣିବା କଥା, ହେଲେ କାହାର ମଧ୍ୟ ଦେଖାନାହିଁ । ଏହି ଧାନ କିଣା କେନ୍ଦ୍ରରେ ସିସିଟିଭି ମଧ୍ୟ ଲାଗିଛି, ହେଲେ ନାମକୁ ମାତ୍ର । ସିଧାସଳଖ ମିଲ୍‌କୁ ଧାନ ଯାଇ ଏନ୍‌ଟ୍ରି କରାଯାଉଛି । ସରକାର ମଣ୍ଡି ଖୋଲିବା ଆରମ୍ଭରୁ ଧାନକିଣା ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସଠିକ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସରକାରୀ ନିର୍ଦ୍ଦେଶ କାଗଜପତ୍ରରେ ରହି ଯାଇଛି । ଫଳରେ ଅନେକ ଗୁଡିଏ ପ୍ୟାକ୍ସରେ ବ୍ୟାପକ ଦୁର୍ନୀତି ଏବଂ ଅରାଜକତା ଦେଖିବାକୁ ମିଳୁଛି । ଅନ୍ୟପଟେ ଅନେକ ଚାଷୀଙ୍କ ଟୋକନ ଲେପ୍ସ ହୋଇ ଗଲାଣି । ଯେଉଁଥିରେ ପ୍ରକୃତ ଚାଷୀ ଚିନ୍ତାରେ ଅନାଇ ବସିଛନ୍ତି । ଟାଗେର୍ଟ ଆସିଲେ ଅସାଧୁ ବେପାରୀମାନେ ପ୍ୟାକ୍ସ ସମ୍ପାଦକ ଓ ଏସଏଚଜିଙ୍କ ସହ କଥା ହୋଇ ସଲାସୁତୁରା କରି ଚାଷୀଙ୍କ ନାଁରେ ଏନଟ୍ରି କରି ଧାନ ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ଅନ୍ୟପଟେ ଦାବୀ ହେଉଛି ଯେ, ଏହି ଧାନ କିଣା କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ ଯଦି ପ୍ରକୃତରେ ଧାନ ଚାଷୀ ବିକୁଛନ୍ତି ନା ଦଲାଲ ବିକ୍ରି କରୁଛି ତାହାର ତଦନ୍ତ କରାଯାଉ । ଏନେଇ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ପଚାରିବାରୁ ସେ ମଧ୍ୟ ତଦନ୍ତ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.