ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟର ପ୍ରତ୍ୟେକ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଲୋକଙ୍କ ପଇସାରେ ଖୋଲାଯାଇଛି । ଏହା ଶୁଣିବାକୁ ବେଶ୍ ଶ୍ରୁତିମଧୁର ଲାଗେ, କିନ୍ତୁ ଆମେ ସବୁବେଳେ ଦେଖେଇବାକୁ ଚାହୁଁ ବାସ୍ତବିକ ସତକଥା । ଏହି ଘଟଣା ଖୋଲିଦେବ ସରକାରୀ କର୍ମଚାରୀଙ୍କ ଅସଲ ମୁଖା । ଲୋକଙ୍କ ପଇସାରେ ଦରମା ପାଇଥିବା ସରକାରୀ ବାବୁ ମାନେ ଲୋକଙ୍କ ସମସ୍ୟାକୁ କରିଥାନ୍ତି ନଜର ଅନ୍ଦାଜ, ସେମାନେ ଭୁଲି ଯାଇଛନ୍ତି ଯେ ଯେଉଁ ଦରମା ପଇସାରେ ତାଙ୍କ ଘର ଚଳେ ତାହା ଲୋକଙ୍କ ଟିକସ ପଇସାରେ ହିଁ ପ୍ରଦାନ କରାଯାଇଥାଏ । ଯେତେବେଳେ ସରକାରୀ କଳ କାମ କରେନାହିଁ, ପ୍ରଶାସନିକ ସ୍ଥାଣୁତା ସାଧାରଣ ନାଗରିକଙ୍କୁ ଅତିଷ୍ଠ କରିଦିଏ, ସେତେବେଳେ ସାଧାରଣ ଜନତା ସରକାର ତଥା ପ୍ରଶାସନକୁ ଆଇନା ଦେଖାଇଥାନ୍ତି । ଏଭଳି ଏକ କାମ କରି ଦେଖେଇଛନ୍ତି ଜଣେ ଛୋଟ ପାନ ବ୍ୟବସାୟୀ ଯାହାଙ୍କ ନାମ ହେଉଛି ରୂପେନ ପାଣ୍ଡେ । ଗ୍ରାମ ଚାରପାଲି, ପେଷାରେ ସେ ଜଣେ ଛୋଟ ପାନ ବ୍ୟବସାୟୀ । ପରିବାର କହିଲେ ଚାରି ଜଣ, ପାନ ବ୍ୟବସାୟରେ ଅର୍ଚ୍ଚିତ ଧନରେ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । ସରକାର ଏବଂ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ସହ୍ୟ କରି ନ ପାରି ନିଜ ପୁଅ ସଞ୍ଚୟ କରି ରଖିଥିବା ଟଙ୍କାକୁ ଗ୍ରାମର ଉନ୍ନତି ପାଇଁ ରାସ୍ତା ନିର୍ମାଣରେ ଖର୍ଚ୍ଚ କରିଛନ୍ତି । ଚାରପାଲିରୁ ସିଂହନପୁର ରାସ୍ତା ବହୁତ କଦର୍ଯ୍ୟ ହୋଇଥିଲା । ଏହି ରାସ୍ତାରେ ପାଞ୍ଚ ଖଣ୍ଡ ଗାଁ ଯାତାୟାତ କରୁଥିଲେ । ଲୋକେ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗ୍ରାମର ଯୁବ ସ୍ୱେଚ୍ଛାସେବୀ ରୁପେନ ପାଣ୍ଡେ ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ । ଏବେ ତାଙ୍କର ମହତ କାମକୁ ପ୍ରଶଂସାର ସୁଅ ଛୁଠୁଛି । ଅପର ପକ୍ଷରେ ଯେଉଁ ସରକାରୀ କର୍ମଚାରୀ ତଥା ଜନପ୍ରତିନିଧି ଏହି ରାସ୍ତାକୁ ବାରମ୍ବାର ଦେଖି ନିଦାବିଷ୍ଣୁ ସାଜିଥିଲେ ତାଙ୍କୁ ସମସ୍ତେ ସମାଲୋଚନା କରିଛନ୍ତି ।