ସେବା ମନୋଭାବ ପାଇଁ ବେଶ ଚର୍ଚ୍ଚାରେ ସ୍ୱାସ୍ଥ୍ୟକର୍ମୀ ନିରାକାର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : କରୋନା ମହାମାରୀ ଆରମ୍ଭ ବେଳେ ଏହି ରୋଗକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏହାକୁ କିପରି ମୁକାବିଲା କରାଯିବ ସେ ନେଇ ସାଧାରଣ ଜନତାଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ିଥିଲେ । ରୋଗୀକୁ ଛୁଇଁଲେ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଆକ୍ରାନ୍ତକୁ କିପରି ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଥିଲା । ଡାକ୍ତରଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇ ପଡୁଥିଲେ । ଯେଉଁ କେତେଜଣ କର୍ତ୍ତବ୍ୟ ପାଳନ କରିବାକୁ ଆଗେଇ ଆସିଥିଲେ ସେମାନଙ୍କ ମଧ୍ୟରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ନିରାକାର ବାରିକ ଅନ୍ୟତମ । ନିଜ ଜୀବନକୁ ବାଜି ଲଗାଇ ସେ ତାଙ୍କର କର୍ତ୍ତବ୍ୟ ପାଳନ କରିଥିବା ଦେଖିବାକୁ ମିଳିଥିଲା । ମହାମାରୀ ସଂକ୍ରମଣ ଯେତେବେଳେ ହୁ ହୁ ହୋଇ ବଢୁଥିଲା ସେତେବେଳେ ରୋଗୀଙ୍କ କୋଭିଡ ପରୀକ୍ଷା କାର୍ଯ୍ୟରେ ନିରାକାରଙ୍କୁ ନିୟୋଜିତ କରାଯାଇଥିଲା । ଉଭୟ ଡାକ୍ତରଖାନା ଏବଂ ଡାକ୍ତରଖାନା ବାହାରେ ବିଭିନ୍ନ ଗ୍ରାମକୁ ଯାଇ ସେ ଆଣ୍ଟିଜେନ ଏବଂ ଆର୍‌ଟିପିସିଆର୍‌ ପରୀକ୍ଷା କାର୍ଯ୍ୟ କରୁଥିଲେ । ତାଙ୍କର ଏହି କାର୍ଯ୍ୟ ଜାରି ରହିଥିବା ବେଳେ ସେ ଦୁଇ ଦୁଇ ଥର ସଂକ୍ରମିତ ଚିହ୍ନଟ ହୋଇଥିଲେ । ମାତ୍ର ସେ କେବେ ଭୟ କରିନାହାନ୍ତି କିମ୍ବା ପଛଘୁଞ୍ଚା ଦେଇନାହାନ୍ତି । ଖାଲି ସେତିକି ନୁହେଁ ଗତ ଅକ୍ଟୋବର ମାସରେ ଭୟଙ୍କର ରାସ୍ତା ଦୁର୍ଘଟଣାର ଶିକାର ହୋଇ ସେ ଗୁରୁତର ହୋଇ ପଡ଼ିଥିଲେ । ଦୁର୍ଘଟଣାରେ ତାଙ୍କର ବ୍ରେନ ହେମରେଜ ହେବା ସହିତ ତାଙ୍କ ହାତ ଭାଙ୍ଗି ଯାଇଥିଲା । ବୟସ ତାଙ୍କୁ ମାତ୍ର ୨୫ । ଯୁକ୍ତ ଦୁଇ ବିଜ୍ଞାନ କରିବା ପରେ ସେ ଫାର୍ମାସିଷ୍ଟ କରିଛନ୍ତି । ତାଙ୍କ ବାପା ସଞ୍ଜୟ ବାରିକଙ୍କର ଖପ୍ରାଖୋଲଠାରେ ଏକ ଔଷଧ ଦୋକାନ ରହିଛି । ପିଲାଟି ବେଳୁ ସେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବା ପାଇଁ ତାଙ୍କର ଲକ୍ଷ୍ୟ ରହିଥିଲା ବୋଲି ତାଙ୍କ ବାପା କୁହନ୍ତି । ଗତ ଦୁଇ ବର୍ଷ ଧରି ସେ ତାଙ୍କ ସେବା ଯୋଗାଇ ଆସୁଥିବା ବେଳେ ଏଥିପାଇଁ ତାଙ୍କୁ ସାଧାରଣରେ ବହୁ ପ୍ରଶଂସା ମିଳିଛି । ତାଙ୍କର ଏହି କର୍ତ୍ତବ୍ୟ ପରାୟଣତା ପାଇଁ ନିକଟରେ ତାଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ଗତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ପାଟଣାଗଡ଼ ଉପଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ପ୍ରମାଣ ପତ୍ର ଏବଂ ଉପଢୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପୁରସ୍କୃତ ହେବା ପରେ ମେଡିକାଲ କର୍ମଚାରୀ ତଥା ସହକର୍ମୀ ଏବଂ ପରିବାର ମଧ୍ୟରେ ଆନନ୍ଦ ଦେଖା ଦେଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.