ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଗତକାଲି ଅନୁଷ୍ଠିତ ହୋଇଥିବା ୫୨ତମ ସମାବର୍ତ୍ତନ ଉତ୍ସବରେ ବଲାଙ୍ଗିରର ସାର୍ଥକ ପ୍ରଧାନ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲଙ୍କ ଠାରୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି । ସାର୍ଥକ ଉତ୍କଳ ବିଶ୍ୱବିଦ୍ୟାଳୟର ‘ପର୍ସୋନେଲ ମ୍ୟାନେଜମେଣ୍ଟ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ’ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବୋଚ୍ଚ ଅଙ୍କ ଓ ସର୍ବାଧିକ ସିଜିପିଏ ହାସଲ କରି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ତଥା ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି.ଗୋପାଳ ଗୌଡ, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ପ୍ରକାଶଯୋଗ୍ୟ ଯେ, ସାର୍ଥକ ସ୍ଥାନୀୟ କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରି ୨୦୧୧ ମସିହାରେ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ଟପ୍ପର ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ରାଜେନ୍ଦ୍ର ମହାବିଦ୍ୟାଳୟରେ ବିଜ୍ଞାନରେ ବ୍ୟାଚ୍ ଟପ୍ପର ହେବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଭୂତତ୍ତ୍ୱ ବିଜ୍ଞାନରେ ଡିଷ୍ଟିନ୍ସନ(ନିପୁଣତା) ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏତଦ୍ ବ୍ୟତୀତ ସାର୍ଥକ ନିଜ ଲିଖିତ ପୁସ୍ତକ ‘ଦୃଶ୍ୟପଟ୍ଟ’ ପାଇଁ ଅନେକ ଲେଖକୀୟ ସମ୍ମାନ ଗ୍ରହଣ କରିଛନ୍ତି । ସାର୍ଥକଙ୍କ ପିତା ବିରାଟ କେଶରୀ ପ୍ରଧାନ ସ୍ଥାନୀୟ ମନୋହରପୁର ସ୍ଥିତ ପୋଲିସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ମାତା ସ୍ନେହଲତା ପ୍ରଧାନ ଜଣେ ଗୃହିଣୀ । ସାର୍ଥକ ସଂପ୍ରତି ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରରେ ମାନବ ସମ୍ବଳ ବିଭାଗରେ କାର୍ଯ୍ୟ କରୁଛନ୍ତି । ସେ ଏହି ସଫଳତା ପାଇଁ ଗୁରୁଜନ ଏବଂ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।