• ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ସୂଚନା : ମିଶନାରୀଜ୍ ଅଫ ଚାରିଟି ପକ୍ଷରୁ ହିଁ ନିଜ ଆକାଉଣ୍ଟକୁ ଫ୍ରିଜ୍ କରିବା ଲାଗି ଏସବିଆଇକୁ ଅନୁରୋଧ କରାଯାଇଥିଲା
• ପ୍ରତିକୂଳ ଇନପୁଟ୍ କାରଣରୁ ଏଫସିଆରଏ ପଞ୍ଜୀକରଣ ପାଇଁ କରାଯାଇଥିବା ନବୀକରଣ ଆବେଦନକୁ ଅସ୍ବୀକାର କରି ଦିଆଯାଇଛି
• ନବୀକରଣ ଆବେଦନ ଅସ୍ବୀକାରକୁ ପୁନଃସମୀକ୍ଷା ଲାଗି ମିଶନାରୀଜ୍ ଅଫ୍ ଚାରିଟି ପକ୍ଷରୁ କୌଣସି ଅନୁରୋଧ କିମ୍ବା ସଂଶୋଧିତ ଆବେଦନ ପ୍ରାପ୍ତ ହୋଇନାହିଁ
ନୂଆଦିଲ୍ଲୀ, (ପିଆଇବି) : ବିଦେଶୀ ଯୋଗଦାନ ନିୟାମକ ଆଇନ (ଏଫ୍ସିଆର୍ଏ) ଅଧୀନରେ ମିଶନାରୀଜ୍ ଅଫ ଚାରିଟି (ଏମଓସି) ପକ୍ଷରୁ ଏଫସିଆରଏ ପଞ୍ଜୀକରଣର ନବୀକରଣ ଲାଗି କରାଯାଇଥିବା ଆବେଦନ ୨୫ ଡିସେମ୍ବର ୨୦୨୧ରେ ଖାରଜ କରି ଦିଆଯାଇଥିଲା । ଏଫସିଆରଏ ୨୦୧୦ ଏବଂ ବିଦେଶୀ ଯୋଗଦାନ ନିୟାମକ ନିୟମ (ଏଫସିଆରଆର) ୨୦୧୧ ଅଧୀନରେ ଯୋଗ୍ୟତା ସର୍ତ୍ତ ପୂରଣ କରିପାରୁନଥିବା କାରଣରୁ ଏହି ଆବେଦନକୁ ଅସ୍ବୀକାର କରାଯାଇଥିଲା । ନବୀକରଣ ଅସ୍ବୀକାର କରାଯିବାକୁ ପୁନଃସମୀକ୍ଷା ଲାଗି ମିଶନାରୀଜ୍ ଅଫ ଚାରିଟି (ଏମଓସି) ପକ୍ଷରୁ କୌଣସି ଅନୁରୋଧ/ସଂଶୋଧିତ ଆବେଦନ ହସ୍ତଗତ ହୋଇନାହିଁ । ମିଶନାରୀଜ୍ ଅଫ୍ ଚାରିଟି (ଏମଓସି)କୁ ଏଫସିଆରଏ ଅଧୀନରେ ପଞ୍ଜୀକରଣ ସଂଖ୍ୟା ହେଉଛି ୧୪୭୧୨୦୦୦୧ ଏବଂ ଏହାର ପଞ୍ଜୀକରଣ ଅବଧି ୩୧ ଅକ୍ଟୋବର ୨୦୨୧ ପର୍ୟନ୍ତ ବୈଧ ଥିଲା । ପରେ, ଏହାର ବୈଧତାକୁ ୩୧ ଡିସେମ୍ବର ୨୦୨୧ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ଅନ୍ୟ ଯେଉଁସବୁ ଏଫସିଆର ସଂସ୍ଥାଗୁଡ଼ିକର ନବୀକରଣ ଆବେଦନ ପଡ଼ି ରହିଥିଲା ସେମାନଙ୍କ ସହିତ ଓମଓସିର ନବୀକରଣ ବୈଧତାକୁ ଉପରୋକ୍ତ ତାରିଖ ପର୍ୟ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା । ତେବେ ଏମଓସିର ନବୀକରଣ ସଂକ୍ରାନ୍ତ ଆବେଦନ ଉପରେ ବିଚାର କରିବା ସମୟରେ କେତେକ ପ୍ରତିକୂଳ ଇନପୁଟ୍ ମିଳିଥିଲା । ରେକର୍ଡରେ ଦାଖଲ ହୋଇଥିବା ଇନପୁଟକୁ ଧ୍ୟାନରେ ରଖି ଏମଓସିର ନବୀକରଣ ସଂକ୍ରାନ୍ତ ଆବେଦନକୁ ମଞ୍ଜୁରି ମିଳିନଥିଲା । ଏମଓସିର ପଞ୍ଜୀକରଣ ୩୧ ଡିସେମ୍ବର ୨୦୨୧ ପର୍ୟ୍ୟନ୍ତ ବୈଧ ଥିଲା । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏମଓସିର କୌଣସି ଆକାଉଣ୍ଟକୁ ଫ୍ରିଜ୍ କରିନାହିଁ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି ଯେ ମିଶନାରୀଜ୍ ଅଫ୍ ଚାରିଟି ପକ୍ଷରୁ ହିଁ ନିଜର ଆକାଉଣ୍ଟକୁ ଫ୍ରିଜ୍ କରିବା ଲାଗି ଏସବିଆଇକୁ ଅନୁରୋଧ କରାଯାଇଥିଲା ।