ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ନୂତନ ବିଡିଓ ଭାବେ ଯୋଗ ଦେଲେ ସଞ୍ଜୀବ କୁମାର ସାହୁ । ୨୦୨୫ ବର୍ଷରେ ସୋନପୁର ବ୍ଲକରେ ବିଡିଓ ଭାବେ ଦାୟିତ୍ଵ ଗ୍ରହଣ କରି କିଛି ମାସ ବ୍ଲକର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସେ ଖୁବ ପ୍ରଶଂସା ପାଇଥିବା ବେଳେ କଳାପଥର ବଡ଼ବନ୍ଧ ସମସ୍ୟାର ସମାଧାନ କରି ଅଞ୍ଚଳବାସୀ ଉପକୃତ ହେବା ଘଟଣା ଓ ଜିଲ୍ଲା ପ୍ରଶାସନ ସହ ତରାସ ମାଉସୀ ପାଇଁ ଘର ଯୋଗାଇବାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଯେଉଁ ସମସ୍ୟା ପାଇଁ କି ଗାଁ ଲୋକେ ସୋନପୁର ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥକୁ ଅବରୋଧ କଲା ପରେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଲୋକଙ୍କ ସମ୍ମୁଖୀନ ହେବାକୁ ପଡ଼ିଥିଲା । ପୁଣି ସେ ସମସ୍ତଙ୍କୁ ଫିଟ୍ ରହିବା ପାଇଁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀକୁ ସାଇକେଲରେ ଯିବା ସହ ପ୍ରଶଂସା ସାଉଁଟି ଥିଲେ । ଶ୍ରୀ ସାହୁ ଡୁଙ୍ଗୁରିପାଲିରେ ଯୋଗ ଦେବା ପରେ ସ୍ଥାନୀୟ ରେଲୱେ ଷ୍ଟେସନରେ ଦୀର୍ଘ ବର୍ଷରୁ ଜମି ଥିବା ଅଳିଆ ଆବର୍ଜନାକୁ ପ୍ରଥମେ ସାମୁହିକ ଭାବରେ ସଫେଇ ଅଭିଯାନ କରି ସହରର ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବାକୁ ସହରବାସୀଙ୍କୁ ନିବେଦନ କରିଛନ୍ତି । ଶ୍ରୀ ସାହୁ ଏହା ପୂର୍ବରୁ ଓଡ଼ିଶାର ଅନେକ ସ୍ଥାନରେ ସଫଳତାର ସହିତ କାର୍ଯ୍ୟ କରି ଆସିଥିବା ବେଳେ ସେ ଭାରତୀୟ ବାୟୁସେନାରେ ବାଙ୍ଗାଲୋର, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଦିଲ୍ଲୀ, ଗୁଜୁରାଟ ଓ ଜାମ୍ମୁ କାଶ୍ମୀରରେ ସଫଳତାର ସହ କାର୍ଯ୍ୟ କରି ବିଭିନ୍ନ ଅଞ୍ଚଳରେ ଦେଶ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ ଆସିଛନ୍ତି । ଶ୍ରୀ ସାହୁ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଥିବାବେଳେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟରୁ ବିଏ, ସିକ୍କିମ ମଣିପାଳ ବିଶ୍ୱବିଦ୍ୟାଳୟରୁ ବିକମ, ଇଗ୍ନୋରୁ ବିଏସସି ସହଯୋଗୀ ଡିଗ୍ରୀ, ଆଇସିଏଫଏଆଇ ବିଶ୍ୱବିଦ୍ୟାଳୟ ଏମବିଏ ଫାଇନାନ୍ସ, ସିଏଫଏ, ଆମିଟି ବିଶ୍ୱବିଦ୍ୟାଳୟରୁ ବୀମା ପରିଚାଳନାରେ ପିଜି ଡିପ୍ଲୋମା, ଭାରତୀୟ ମାନବାଧିକାର ସଂସ୍ଥାନରୁ ଏମଏ ମାନବାଧିକାର, ୟୁଜିସି ନେଟ୍ (ପରିଚାଳନା) ଡ଼ିଗ୍ରୀ ହାସଲ କରିଛନ୍ତି । ଶ୍ରୀ ସାହୁଙ୍କ ଭଳି ଜଣେ ଉଚ୍ଚ ଶିକ୍ଷିତ ଦକ୍ଷ ଅଫିସରଙ୍କ ପୁଣି ଏହି ଜିଲ୍ଲାରେ ଦାୟିତ୍ଵ ଗ୍ରହଣ କରିବା ବିଷୟ ନିଶ୍ଚୟ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟରେ ସହାୟକ ହେବ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି ।