ରାଜ୍ୟ ଶିକ୍ଷା ବିଭାଗର ପଦକ୍ଷେପକୁ ଶିକ୍ଷା ବଞ୍ଚାଅ ଅଭିଯାନର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗତ କିଛି ବର୍ଷ ଧରି ଶିକ୍ଷା ବିଭାଗ ଅଧିକାରୀଙ୍କ ଏକଛତ୍ରବାଦ ଓ ମନୋମୁଖି କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସମ୍ପ୍ରତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜାନୁୟାରୀ ୧୭ ତାରିଖରେ ଜିଲା ଶିକ୍ଷାଧିକାରୀମାନଙ୍କ ବଦଳି ବିଜ୍ଞପ୍ତିକୁ ଗଞ୍ଜାମ ଜିଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ସ୍ୱାଗତ କରାଯାଇଛି । ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ ଭଳି ଅନ୍ୟ ଜିଲ୍ଲା ଅଧିକାରୀଙ୍କ ଅହେତୁକ କ୍ଷମତା ବର୍ହିଭୁତ ତଥା ବେଆଇନ କାର୍ଯ୍ୟକୁ ହୃଦବୋଧ କରି ନେଇଥିବା ପଦକ୍ଷେପକୁ ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ସାଧୁବାଦ ଜଣାଇ ଦିଆଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗଞ୍ଜାମର ବିଦାୟୀ ଡିଇଓଙ୍କ ଏକଛତ୍ରବାଦ ଓ ବେଆଇନ କାର୍ଯ୍ୟକଳାପ ବିରୋଧରେ ଗଞ୍ଜାମ ଜିଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ତଥା ଗଞ୍ଜାମ ଜିଲାର ସମସ୍ତ ବିଧାୟକମାନଙ୍କୁ ଏକାଧିକବାର ଅଭିଯୋଗ କରାଯାଇଥିଲା । ପୂର୍ବ ଡିଇଓଙ୍କ ଶିକ୍ଷକ ଓ କର୍ମଚାରୀ ମାରଣ ନୀତି ଦ୍ୱାରା ସମଗ୍ର ଜିଲ୍ଲାର ଶୈକ୍ଷିକ ବାତାବରଣ କଳୁଷିତ ହୋଇଯାଇଥିଲା । ସସ୍‌ପେଣ୍ଡ ଓ ବହିଷ୍କାର ତାଙ୍କ ପାଇଁ ଏକ ମାମୁଲୀ ନିଷ୍ପତ୍ତି ଥିଲା ଏବଂ ମାନବିକତା ବିହୀନ କାର୍ଯ୍ୟକଳାପର ସେ ଖୁସୀ ମନାଉଥିଲେ । ନୂତନ ଭାବେ ବଦଳୀ ହୋଇ ଆସିଥିବା ଡିଇଓ ମହୋଦୟ ତାଙ୍କର କାର୍ଯ୍ୟକଳାପକୁ ସ୍ୱଚ୍ଛ, ସୁନ୍ଦର କରି ଗଢ଼ି ଜିଲ୍ଲାର ଶୈକ୍ଷିକ ବାତାବରଣକୁ ସଜାଡ଼ିବା ପାଇଁ ଉଦ୍ୟମ କରିବେ ଏବଂ ଜିଲା ଶିକ୍ଷା ବଞ୍ଚାଅ ଅଭିଯାନ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିବା ପାଇଁ ଅଭିଯାନର ଏକ ବୈଠକରେ ସଭାପତି ରବି ରଥ, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ସାଧାରଣ ସମ୍ପାଦକ କାମରାଜୁ ମହାରଣା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅଶୋକ କୁମାର ଦଳାଇ, ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ରଂଜନ ସାହୁ, ମାନସ ରଂଜନ ତ୍ରିପାଠୀ ପ୍ରମୁଖ ଏକ ମିଳିତ ପ୍ରେସ୍‌ ବିବୃତ୍ତିରେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.