centurian jitm

ଗଞ୍ଜାମ ଜିଲ୍ଲାରେ ୧୧ ଗୋଟି ସହରାଞ୍ଚଳରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା କେନ୍ଦ୍ର ପ୍ରତିଷ୍ଠା ହେବ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳମାନଙ୍କରେ ଅବସ୍ଥାପିତ ଉଚ୍ଚ ପ୍ରାଥମିକ ଚିକିତ୍ସା କେନ୍ଦ୍ରଗୁଡିକ ସ୍ତରରୁ ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ବିକେନ୍ଦ୍ରୀକରଣ କରିବା ଯୋଜନା କରାଯାଉଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ, ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ, ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡିକରେ ଗୋଟିଏ ଲେଖାଏଁ ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା କେନ୍ଦ୍ର ପ୍ରତିଷ୍ଠା ହେବ । ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆଙ୍କୁଲି ଡିସପେନସାରୀ, ମିନାକ୍ଷୀ ସାହି ଏବଂ ଇନ୍ଦିରା ସାହି, ଆମ୍ବପୁଆ ଗ୍ରାମରେ ଗୋଟିଏ ଲେଖାଏଁ ଏହିଭଳି ୬ ଗୋଟି ସହରାଞ୍ଚଳ ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ । ଏଥି ସକାଶେ ଶନିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜୁମ୍ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଏହି ୧୧ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା କେନ୍ଦ୍ର ଘରଭଡା ନେଇ କାର୍ଯ୍ୟକ୍ଷମ ହେବ । ଏହି କେନ୍ଦ୍ରମାନଙ୍କରେ ସକାଳ ୮ ଘ. ଠାରୁ ପୂର୍ବାହ୍ନ ୧୧ ଘ. ଏବଂ ସଂଧ୍ୟା ୫ ଘ. ଠାରୁ ରାତ୍ର ୮ ଘ. ପର୍ଯ୍ୟନ୍ତ ବହିଃବିଭାଗ ଚିକିତ୍ସା ସୁବିଧା ଜନ ସାଧାରଣଙ୍କୁ ଯୋଗାଇ ଦିଆଯିବ । ନିରାମୟ ଯୋଜନାରେ ଔଷଧ ବିତରଣ, ପରୀକ୍ଷାଗାର, ଟେଲିମେଡିସିନ୍ ସେବା, ଫିଜିଓଥେରାପି ସେବା, ଯୋଗ ସେବା ପ୍ରଭୃତି ଯୋଗାଇ ଦିଆଯିବ । ଗୋଟିଏ ୟୁଏଚ୍‌ଡବ୍ଲୁସି ନିମନ୍ତେ ବାର୍ଷିକ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଯୋଜନା ରହିଛି । ଏହି କାର୍ଯ୍ୟର ପରିଚାଳନା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ କମିଶନର ଏବଂ ସଂପୃକ୍ତ ଅଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀଗଣ ନିର୍ଦ୍ଧାରୀତ ସମୟସୁଦ୍ଧା ଚିହ୍ନଟ କରି ୟୁଏଚ୍‌ଡବ୍ଲୁସିଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଦିଗରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ଯୋଜନା ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ୟୁଏଚ୍‌ଡବ୍ଲୁସି ଗୁଡିକ କିଭଳି ଯୋଜନାବଦ୍ଧ ଭାବରେ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ହେବ ସେହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ଟାସ୍କଫୋର୍ସର ସମସ୍ତ ସଭ୍ୟା ଓ ସଭ୍ୟଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.