ରାଉରକେଲା, (ସସ୍ମିତା ପ୍ରଧାନ) : ଶାମ୍ବ ଦଶମୀ ଅବସରରେ ସୂର୍ଯ୍ୟ ନମସ୍କାର ମହାଯଜ୍ଞ ଉଦିତ ନଗର ସ୍ଥିତ ପ୍ୟାରେଡ ପଡ଼ିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । କ୍ରୀଡା ଭାରତୀ ଓଡ଼ିଶା ପଶ୍ଚିମ ଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାନ୍ତ ସଂଘ ଚାଳକ ତଥା ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲର ମୁଖ୍ୟ ଡାକ୍ତର ଅଖିଲ ଜୈନ ମୁଖ୍ୟଅତିଥି, ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ସମ୍ମାନିତ ଅତିଥି ଓ ଚିନ୍ମୟ ମିଶନର ସ୍ୱାମୀ ଅରୁପାନନ୍ଦ ମହାରାଜ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶାମ୍ବ ଦଶମୀ ଓ ସୂର୍ଯ୍ୟ ନମସ୍କାରର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ କେବଳ ତିଳ ତର୍ପଣ ନକରି ଶାରିରୀକ ବ୍ୟାୟାମ ପ୍ରଦର୍ଶନ ମାଧ୍ୟମରେ ଚିନ୍ତାରୁ ମୁକ୍ତି,ରୋଗରୁ ମୁକ୍ତି, ଏକ ସୁସ୍ଥ ସମାଜ ଗଠନରେ ବିକଶିତ ରାଷ୍ଟ୍ର ଗଠନରେ ସୂର୍ଯ୍ୟ ନମସ୍କାରର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହା ସହ ମଣିଷ ପାଇଁ ମାନସିକ, ବୌଦ୍ଧିକ, ଆଧ୍ୟାତ୍ମିକ, ଶାରିରୀକ ଓ ସାମାଜିକ ଗଠନରେ ଏହା କିପରି ପ୍ରଭାବଶାଳୀ ତଥା ଏହାକୁ ବିଦ୍ୟାଳୟ ସ୍ତରରୁ ଲାଗୁକରିବା ପାଇଁ ମତ ରଖିଥିଲେ । ଏହି ଅବସରରେ ୧୨ଟି ମହାବିଦ୍ୟାଳୟ ଓ ୧୪ଟି ବିଦ୍ୟାଳୟର ୧୦୦୮ ଛାତ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସଂଯୋଜକ ଦେବବ୍ରତ ସ୍ୱାଇଁ, ସହ ସଂଯୋଜକ ସନ୍ତୋଷ ବିଶ୍ୱାଳଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ନାୟକ, ହେମନ୍ତ ସାମଲ, ଯୁଧିଷ୍ଠିର ମହନ୍ତ, ଚିନ୍ତାମଣି ନାୟକ, ରାଜକୁମାର ନାଥ, ଶ୍ୟାମସୁନ୍ଦର ସେଠୀ, ଶ୍ରୀଧର ସାମଲଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।