ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗମ କଳାଗୃପ ଦ୍ୱାରା ଆୟୋଜିତ ଭାରତର ସର୍ବବୃହତ ଗାୟନ ପ୍ରତିଭା ଚୟନର ୪୧ତମ ସୁରତରଙ୍ଗ ଅଡିସନ ରାଜଗାଙ୍ଗପୁର ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଡିଶନ୍ ସଫଳତାର ସହ ଜାରି ରହିଛି । ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ସେକ୍ଟର ୧୬ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତ ନଗରର ପିଏମଶ୍ରୀ ବିଦ୍ୟାଳୟ, ଦୀପିକା ଶିକ୍ଷା ସଦନ, ଭୁବନେଶ୍ୱରର ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଏବଂ କଟକ ପରେ ସମ୍ପ୍ରତି ରାଜଗାଙ୍ଗପୁର ସ୍ଥିତ ଶ୍ରୀଅରବିନ୍ଦ ସ୍କୁଲରେ ସଫଳ ଅଡିଶନ୍ ଆୟୋଜିତ ହୋଇଥିଲା । ଏହି ଅଡିଶନ୍ରେ ରାଜଗାଙ୍ଗପୁର ଏବଂ ଆଖପାଖର ଡିଭିଏମ, ଏସଭିଏମ, ନିର୍ମଳା ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଶିଳ୍ପପତି କମଳ ଅଗ୍ରୱାଲ, ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଅରବିନ୍ଦ ସ୍କୁଲର ସଭାପତି ସଞ୍ଜିବ ବେହୁରା, ଅଧ୍ୟକ୍ଷ ଦୀନବନ୍ଧୁ ସେନାପତି, ସମ୍ପାଦକ ରାମଚନ୍ଦ୍ର ବେହେରା, ସହ ସମ୍ପାଦକ ଅଞ୍ଜନା ବେହେରା, ସମାଜସେବୀ ଅନୀତା ଅଗ୍ରୱାଲ, ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଭାମାନେ ରାଜ୍ୟ ସ୍ତରୀୟ ଫାଇନାଲରେ ଅଂଶଗ୍ରହଣ କରିବେ ଏବଂ ରାଜ୍ୟ ସ୍ତରର ବିଜେତାମାନେ ଦିଲ୍ଲୀରେ ଆୟୋଜିତ ଜାତୀୟ ଫାଇନାଲରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । କାର୍ଯ୍ୟକ୍ରମଟି ସଙ୍ଗମ କଳାଗ୍ରୁପର ସଭାପତି ତଥା ନିର୍ଦ୍ଦେଶକ ସୁରେଶ କୁମାର ନନ୍ଦ, ଏସକେଜି ରାଜ୍ୟ ସଭାପତି ରାଜଦୀପ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ, କାର୍ଯ୍ୟକାରୀ ସଭାପତି ଶ୍ୱେତ ଶେଖର ଜୟପୁରିଆଙ୍କ ମଞ୍ଚ ସଞ୍ଚାଳନ, ରାଜ୍ୟ ସାଂସ୍କୃତିକ ମୁଖ୍ୟ ବି ମାନସୀ ଓ ରାଜଗାଙ୍ଗପୁର ସଂଯୋଜକ ଚିତ୍ତରଞ୍ଜନ ସାହୁ, ଏସକେଜି ଟାଲେଣ୍ଟ କ୍ଲବର ଉପସଭାପତି ସୁଶ୍ରୀ ନମ୍ରତା ଆଚାରୀ, ସାଂସ୍କୃତିକ ସମ୍ପାଦିକା ସୁଶ୍ରୀ ଶିବାନୀ ସରକାରଙ୍କ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ସଙ୍ଗମ କଳା ଗ୍ରୁପ ପକ୍ଷରୁ ବିଜ୍ଞାପନ, ଟିଭି ସିରିଅଲ ଓ ବଲିଉଡ୍ ଫିଲ୍ମରେ ଅଭିନୟ କରୁଥିବା ଉଦିୟମାନ ଅଭିନେତା ଏହତିଶାମ ଆର୍ଶଦଙ୍କୁ କଳା ଓ ଅଭିନୟ କ୍ଷେତ୍ର ପାଇଁ ସମ୍ମାନିତ କରାଯାଇଥିଲା ।
Next Post