jayashree

୫ ଅନାଥ ଶିଶୁଙ୍କ ଦାୟିତ୍ୱ ନେଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଧଅଁରାଖମନର ତିନି ପିତୃମାତୃହୀନ ଶିଶୁ ଓ ଭଟାପଲାର ଗ୍ରାମର ପତୃ ଅନାଥ ଦୁଇ ଶିଶୁପୁତ୍ରକୁ ଆଜି ବିଧିବଦ୍ଧ ଭାବେ ଜିଲ୍ଲା ସୁରକ୍ଷା ୟୁନିଟ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ଧଅଁରାଖମନ ଗ୍ରାମର ସ୍ୱର୍ଗତ ଇଶ୍ୱର ଭୋଇ ଓ ସ୍ୱର୍ଗତ ବିମନୀ ଭୋଇଙ୍କ ତିନି କନ୍ୟା ପିଙ୍କି ଭୋଇ(୧୬), ରିଙ୍କି ଭୋଇ(୧୩) ଓ ଜନନୀ ଭୋଇ(୯) ଉଭୟ ପିତାମାତାଙ୍କୁ ଅକାଳରେ ହରାଇ ବୃଦ୍ଧ ଜେଜେବାପା ରାଜେନ୍ଦ୍ର ଭୋଇ(୬୫)ଙ୍କ ହେପାଜତରେ ରହିଆସୁଥିବା ବିଷୟ ନେଇ ନିକଟ ଅତୀତରେ ଖବର ପ୍ରକାଶ ପାଇଥିଲା । ଏହାପରେ ସେତେବେଳେ ଜିଲ୍ଲା ସୁରକ୍ଷା ୟୁନିଟ ସ୍ୱେଚ୍ଛାସେବୀ ଆସି ପରିବାର ଆଲୋଚନା କରିଥିଲେ । ତେବେ ନିଜ ନାତୁଣୀ ମାନଙ୍କୁ ଛାଡିବା ପାଇଁ ବୃଦ୍ଧ ଜେଜେବାପା ରାଜି ହେଉନଥିଲେ । ତେଣୁ ଆଜି ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସରପଞ୍ଚ ପୂଜା ସାହୁଙ୍କ ଅଧ୍ୟକ୍ଷତାରେ ଗାଁରେ ଏକ ସଭା ବସିଥିଲା । ଏଥିରେ ଗ୍ରାମ ଭଦ୍ରବ୍ୟକ୍ତି, ଉକ୍ତପରିବାରର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି, ଅଙ୍ଗୱାଡିକର୍ମୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଶିଶୁ ମାନଙ୍କ ଭବିଷ୍ୟତ ନିରାପତ୍ତା ଦୃଷ୍ଟିରୁ ବଡନାତୁଣୀକୁ ଛାଡି ଅନ୍ୟ ଦୁଇ ନାତୁଣୀକୁ ଜେଜେବାପା ରାଜି ହୋଇଥିଲେ । ବଡନାତୁଣି ପିଙ୍କି ନିଜ ଜେଜେବାପା ସହ ରହିବ ଓ ସ୍ଥାନୀୟ କଲେଜରେ ନାମ ଲେଖାଇବ ତଥା ତାର ପାଠପଢା ଓ ଯତ୍ନ ପାଇଁ ଜିଲ୍ଲା ପ୍ରସାସନ ଆର୍ଥିକ ସହାୟତା ଦେବ ବୋଲି ସ୍ଥିର ହୋଇଥିଲା । ଅନ୍ୟ ଦୁଇଭଉଣୀକୁ ଶିଶୁ ଯତ୍ନ ଘରେ ରଖିବା ପାଇଂ ହସ୍ତାନ୍ତର କରାଯାଇଥିଲା । ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁଧାଂଶୁଶେଖର ମହାପାତ୍ର, ଗୁଲାମଅନୁବୁଲ୍ଲା ଖାଂ, ଯାଜ୍ଞଶ୍ରୀ ପାଣି ଉପସ୍ଥିତ ଥିଲେ । ସେହିପରି ଭଟାପଲାଗ୍ରାମର ବିଧବାସ୍ତ୍ରୀ ସ୍ନେହଲତା ସାହୁ ନିଜ ସ୍ୱାମୀକୁ ଅକାଳରେ ହରାଇ ଦୁଇଶିଶୁ ପୁତ୍ର ସହ ଦୁର୍ଦ୍ଧଶାରେ କାଳାତି ପାତ କରୁଥିବା ନେଇ ମଧ୍ୟ ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା । ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସ୍ନେହଲତାଙ୍କ ଘରେ ପହଞ୍ଚି ଦୁଇଶିଶୁପୁତ୍ରକୁ ନିଜ ହେପାଜତକୁ ନେଇଥିଲେ । ଉକ୍ତ ଦୁଇ ଶିଶୁ ପୁତ୍ରର ଭବିଷ୍ୟତ ନିରାପତ୍ତା ସକାଶେ ଶିଶୁ ସୁରକ୍ଷା ୟୁନିଟକୁ ନିଜେ ସ୍ନେହଲତା ନିଜପୁଅ ଦୁହିଁଙ୍କୁ ଦେବାପାଇଁ ରାଜି ହୋଇଥିଲେ । ଗୋଟିଏ ଦିନରେ ଏହି ବ୍ଲକର ୪ଜଣ ଅନାଥ ଶିଶୁ କିଶୋରଙ୍କୁ ଶିଶୁ ସରକ୍ଷା ୟୁନିଟ ହେପାଜତକୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥିତ କରି ଦାୟିତ୍ୱ ନେଇଥିବା ବେଳେ ଆଉ ଜଣକର ପାଠପଢା ଓ ଯତ୍ନ ପାଇଁ ମଧ୍ୟ ଦାୟିତ୍ୱ ନେଇଥିବାରୁ ବୁଦ୍ଧିଜୀବୀ ମହଳରେ ପ୍ରଶଂସା କରାଯାଇଛି । ଧଅଁରାଖମନର ଦୁଇ ଶିଶୁଙ୍କୁ ନେହେରୁ ସେବାକେନ୍ଦ୍ର ଭବାନୀପାଟଣା ଓ ଭଟାପଲାର ଦୁଇ ଶିଶୁଙ୍କୁ ବନବାସି ସେବା ସମିତି ଡୁଙ୍ଗୁରୀଗୁଡାରେ ଥଇଥାନ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.