କୋଡିଙ୍ଗାଠାରେ ସାଇବର ସୁରକ୍ଷା ଅଭିଯାନ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ରାଜ୍ୟ ସରକାରଙ୍କ ଉଦ୍ୟମରେ ପୋଲିସ ବିଭାଗ ଓ ଷ୍ଟେଟବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ଯାଏଁ ଚାଲିଥିବା ସାଇବର ସୁରକ୍ଷା ଅଭିଯାନ ୨୦୨୩ର ଏକ ସ୍ୱତନ୍ତ୍ର ରଥ ଆଜି ଦିନ ୧୦ଟା ସମୟରେ ବ୍ଲକର କୋଡିଙ୍ଗାଠାରେ ପହଞ୍ଚିଥିଲା । କୋଡିଙ୍ଗା ନୋଡାଲ ଉନ୍ନୀତ ଉଚ୍ଚ ୫ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କୋଡିଙ୍ଗା ପୋଲିସ ଓ ଗ୍ରାମବାସୀ ବାଜ, ବାଜଣା, ପୁଷ୍ପ ଅର୍ପଣ, ନାଚ ଗୀତର ତାଳେ ତାଳେ ପାଛୋଟି ନେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା । କୋଡିଙ୍ଗା ଥାନା ଅଧିକାରୀ ଯୁଗଳ ଶବରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର, ସମ୍ମାନିତ ଅତିଥି ଭାବେ ଏସ୍‌ଡିପିଓ ଆଦିତ୍ୟ ସେନ, ତହସିଲଦାର ଟିକୁନୁ ପୁଟା, କୋଡିଙ୍ଗା ରେଞ୍ଜର ପୂର୍ଣଚନ୍ଦ୍ର ନନ୍ଦ, ସମାଜସେବୀ ଧରମ ସିଂ ଯୋଗଦେଇଥିଲେ । କୋଡିଙ୍ଗା ଥାନା ଏସ୍‌ଏସ୍‌ଆଇ ପ୍ରଦୀପ ବାଘ ମଞ୍ଚ ପରିଚାଳନା କରିଥିବା ବେଳେ ପୋଲିସ ବିଭାଗର ସାଇବର ଏକ୍ସପଟ ଉମାକାନ୍ତ ସାହୁ ସାଇବର କ୍ରାଇମ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ସାଇବର ଠକେଇରୁ ବଂଚିବା ପାଇଁ ଓଟିପି ସେୟାର କରିବା ନାହିଁ, କଠିନ ପାସୱାର୍ଡ ବ୍ୟବହାର କରିବା, ନିଜର ପାସୱାର୍ଡ କାହାକୁ ଦେବା ନାହିଁ ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଂକୁ ପ୍ରଶ୍ନ ପଚାରିଥିଲେ । ସଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ଅପରାହ୍ନରେ ସ୍ଥାନୀୟ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ସନ୍ଧ୍ୟା ସମୟରେ ସ୍ଥାନୀୟ ଦୁର୍ଗା ମଣ୍ଡପଠାରେ ଗ୍ରାମର ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଯାଇଥିଲା । ପରିଶେଷରେ ଏଲ୍‌ଇଡି ମାଧ୍ୟମରେ ସାଇବର ଠକେଇ କେମିତି ରୋକ ଯାଇ ପାରିବ ତାହା ଉପରେ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୋଡିଙ୍ଗା ଥାନା ସମସ୍ତ ଅଧିକାରୀ, ମିଶନ ଶକ୍ତି ମହିଳା, ଅଙ୍ଗନବାଡି କର୍ମୀ, ବିଦ୍ୟାଳୟ କର୍ମଚାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଥାନାର ସମସ୍ତ କର୍ମଚାରୀ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.