ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କବଳରୁ କିଛି ମାତ୍ରାରେ ଆଶ୍ୱସ୍ତ ମିଳିଥିବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେବଳ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ନେଇ ପ୍ରଥମେ ବିଦ୍ୟାଳୟ ସ୍ତରୀୟ ଏବଂ ପରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକର ପ୍ରାୟ ୬୦ରୁ ଅଧିକ ବିଦ୍ୟାଳୟମାନଙ୍କରୁ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ବକ୍ତୃତା, ରଚନା, ଚିତ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ, ଦିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବାକୁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବଳରାମ ବେହେରା ଓ ନୂଆ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକାବତୀ ସାହାଣୀ ଉଦ୍ଘାଟନ କରିଥିଲେ ଏବଂ ଉଦ୍ଯାପନ ଉତ୍ସବରେ ଯୋଗଦେଇ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ଓ ଶ୍ରୀମତୀ ରେଣୁକାବତୀ ସାହାଣୀ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ବାଲିଗୁଡ଼ା ବ୍ଲକର ସମସ୍ତ ସିଆରସିସି, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସଫଳତା ପୂର୍ବକ ଶେଷ ହୋଇଥିଲା ।