କୋଷାଗୁମଡା, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ବ୍ଲକ୍ ବି.ଏମ୍. ସେମଲା ପଞ୍ଚାୟତ ଉନ୍ନୀତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଜି କ୍ଲଷ୍ଟରସ୍ତରୀୟ ସୁରଭି ମହୋତ୍ସବ ପାଳିତ ହୋଇଯାଇଛି । କ୍ଲଷ୍ଟରର ୧୦ଟି ସ୍କୁଲର ୧୨୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସିଆର୍ସିସି ଦିଲ୍ଲୀପ କୁମାର କଟୁଆଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଗାମ୍ବର ହରିଜନ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧକ୍ଷା ସର୍ବେଶ୍ୱରୀ ମାଝୀ ଏବଂ ସରପଞ୍ଚ କୁମାରୀ ମାଝୀ ଯୋଗଦେଇଥିଲେ । ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ପ୍ରତିଭାକୁ କିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଅଣାଯାଇପାରିବ ସେନେଇ ଅତିଥିମାନେ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରଯାଇଥିଲା । କୃତି ଛାତ୍ରଛାତ୍ରୀ ପ୍ରଥମେ ବ୍ଲକ୍ ତାପରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
Prev Post