- ବିଭିନ୍ନ ପ୍ରକାରର ୫୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ କମିରା କାର୍ଯ୍ୟାଳୟ ସମ୍ମୁଖ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୮ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୩୯ ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୯ ଗୋଟି ସାମୁହିକ ଦରଖାସ୍ତ କରାଯାଇଥିଲା । ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ବିଡ଼ିଓ, ବୀରମହାରାଜପୁର, ରାଜୀବ କୁମାର ହାଁସଦା ଓ ସରପଞ୍ଚ, କମିରା ଗ୍ରାମ ପଞ୍ଚାୟତ, ଶ୍ରୀମତୀ ଅନୁସୟା ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଅଶ୍ୱିନୀ କୁମାର ମେହେର, ଉପ – ଜିଲ୍ଲାପାଳ, ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେରଙ୍କ ସମେତ ତହସିଲଦାର, ବୀରମହାରାଜପୂର୍ ସୁଶ୍ରୀ ସୁଚିଶ୍ମିତା ପାଣିଗ୍ରାହୀ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ବୃନ୍ଦଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଏହି ଅବସରରେ କମିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମିରା ଗ୍ରାମର ଭିନ୍ନକ୍ଷମ ମହିଳା ମେନକା ସ୍ୱାଇଁ ଓ କଲ୍ୟାଣୀ ଚାଉଳିଆଙ୍କୁ ଓ ସୁବଳୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁବଳୟା ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି କୃଷ୍ଣଚନ୍ଦ୍ର ନାୟକଙ୍କୁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀଙ୍କ ଦ୍ଵାରା ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା ।