
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ତିନିମାସ ପରେ ସୋମବାର ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ଶିବିରରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଓ ନୂତନ ଏସପି ଅଭିଳାଷ ଜି ଅନୁପସ୍ଥିତ ରହିବାରୁ ଅଭିଯୋଗ ଶୁଣାଣୀ ଶିବିର ଏକରକମର ଫିକା ପଡ଼ିଥିବା ଅଭିଯୋଗ ହୋଇଥିଲା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳୁ ଆରମ୍ଭ ହୋଇଯାଇଥିବା ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀରେ କେବଳ ମାତ୍ର ୫୫ଟି ଅଭିଯୋଗ ହିଁ ଦାଖଲ ହୋଇଥିଲା । ଆସିଥିବା ବହୁ ଅଧିକାରୀଙ୍କ ତୁଳନାରେ ଅଭିଯୋଗକାରୀଙ୍କ ସଂଖ୍ୟା କମ ଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସେଭଳି ବିଶେଷ ପ୍ରଚାର ପ୍ରସାର କରାଯାଇନଥିବା ଅଭିଯୋଗ ହୋଇଥିଲା । ଫଳରେ ସମସ୍ତ ପଞ୍ଚାୟତର କୋଣ ଅନୁକୋଣରୁ ସାଧାରଣ ଲୋକମାନେ ଏ ବିଷୟରେ ଜାଣିପାରିନଥିବା ବେଳେ ଆଉ କେତେକ ଶେଷ ମୂହୁର୍ତ୍ତରେ ଜାଣି ଅଭିଯୋଗ କରିବାକୁ ଆସିବା ବେଳେ ଜିଲ୍ଲାସ୍ତରୀୟ ବହୁ ଅଧିକାରୀଙ୍କୁ ଭେଟି ପାରିନଥିଲେ । ଆଉ କେତେକ ନିରାଶ ହୋଇ ବ୍ଲକରେ ଥିବା ଅଧିକାରୀଙ୍କୁ ଭେଟି ଫେରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।ପୁର୍ବରୁ ଏଭଳି ଅଭିଯୋଗ ଶୁଣାଣୀ ଶିବିରରେ ଲୋକେ ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ମାସ ମାସ ଧରି ଏହାର ଗୋଟିଏ ମଧ୍ୟ ସମାଧାନ ହୋଇନଥିବାରୁ ଅଭିଯୋଗ କରିବାକୁ ଲୋକେ ମୁହଁ ମୋଡୁଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାର ଦୁଇ ମୁଖିଆଙ୍କ ଅନୁପସ୍ଥିତିରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଏକ ପ୍ରକାର ପ୍ରହସନ ପାଲଟିଥିବା ଗୁରୁତର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗଗୁଡ଼ିକ ମଧ୍ୟରେ ଗାଁରେଇର ଡୋଳାମଣି ବେହେରାଙ୍କ ୬୦ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ପ୍ରମାଣପତ୍ର ଥିଲେ ମଧ୍ୟ ତାଙ୍କୁ ଅନ୍ତୋଦୟ ଆବାସ ଯୋଜନାରୁ ବାଦ୍ ତଥା ୧୨ଶହ ଟଙ୍କା ଭତ୍ତା ପାଇବା ସ୍ଥାନରେ ଏକ ହଜାର ଟଙ୍କା ଦିଆଯାଉଥିବାରୁ ସେ ଲିଖିତ ଅଭିଯୋଗ କରିଥିଲେ । ସେହିପରି କିଡନୀ ଆକ୍ରାନ୍ତ ବ୍ରାହ୍ମଣୀ ଗ୍ରାମରେ ପାଣି ବିଶୋଧନ ଯନ୍ତ୍ର ସ୍ଥାପନ ପାଇଁ ଗ୍ରାମବାସୀ ଦାବୀ କରିଥିଲେ । ଆବାସ ଯୋଜନା ବାବଦ ବକେୟା ମନରେଗା ଓ ବୋନସ ଅର୍ଥ ହଡପ ହୋଇ ସେମାନଙ୍କୁ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିବା ମୁରିବାହାଲର ରମେଶ ନାଗ, ହୁତାଶନ ପଧାନ, ଗୌର ବଘାର, ଯଦୁ ନାଗ ପ୍ରମୁଖ ହିତାଧିକାରୀ ଗୁରୁତର ଅଭିଯୋଗ କରିଥିଲେ । ଜଙ୍ଗଲ ଜମି ଅଧିକାର ଆଇନ ଅନ୍ତର୍ଗତ ମୁରିବାହାଲର ପୁରୁଷୋତ୍ତମ ଭୋଇ, ଯୁଧିଷ୍ଠିର ମାଝୀ, ବିଶି ଧରୁଆ, ଶୋଭଦ୍ରା ଭୋଇ ଓ ଚଳକୀ ଗ୍ରାମର ଶିବ ପ୍ରଧାନୀଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଥିଲା । ଏହି ଶିବିରରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ,ଏପିଡି ତରଣିସେନ ସୁନା, ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଡିଇଓ ପ୍ରଦୀପ କୁମାର ନାଗ, ସିଡିଏଓ ବାବୁଲିଚରଣ ସେଠୀ , ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଜିପିଡିଓ ଗଙ୍ଗାଧର ଛତର, ଡବ୍ଲୁଇଓ ଭିମରାମ ମାଝୀଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।