- ବିଭିନ୍ନ ୪୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
- ତୁରନ୍ତ ସମାଧାନ ହେଲା ବିଭିନ୍ନ ୧୮ ଗୋଟି ଅଭିଯୋଗ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ୪୨ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୬ ଗୋଟି ଓ ସାମୁହିକ ଦରଖାସ୍ତ ୧୬ ଗୋଟି ରହିଛି । ଗ୍ରହଣ ୪୨ ଗୋଟି ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୧୮ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୪ଟି ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ତନ୍ମଧ୍ୟରେ ଗୋଟିଏ ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ନିମନ୍ତେ ଗ୍ରହଣ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉଲୁଣ୍ଡା ହେମସାଗର ଭୋଇଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସିଡିଓ ତଥା ଇଓ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ, ବୀରମହାରାଜପୁର ଅଶୋକ କୁମାର ଭୋଇ, ଅଧୀକ୍ଷଣ ଯନ୍ତ୍ରୀ ଆରଡବ୍ଲୁଏସ୍ଏସ୍ ଇଂ ବିଭୁ ପ୍ରସାଦ ପଣ୍ଡା, ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରରେ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ବ୍ଲକ ଅନ୍ତର୍ଗତ ଦୟାନିଧି ରାଉତ, ଧନେଶ୍ୱରୀ ନାଏକ, ସାଇବାଣୀ ଭୋଇ, ପାର୍ବତୀ ପଞ୍ଚବିହାର ପ୍ରଭୁତି ୪ ଜଣଯୋଗ୍ୟ ହିତାଧିକାରୀ ପ୍ରତ୍ୟେକଙ୍କୁ ଟଙ୍କା ୫୦୦ ଶହ ଲେଖାଏଁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ବ୍ଲକ ଅନ୍ତର୍ଗତ ସସ୍ମିତା ଜାଲଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୨୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।